Unknown

 

 

 

 

 

 

 

 

 

ଚୟନ

ପଣ୍ଡିତ ଗୋଦାବରୀଶ ମିଶ୍ର

 

ସୂଚୀପତ୍ର

 

୧.

ସୂର୍ଯ୍ୟମୁଖୀ

୨.

ପଞ୍ଜୁରିଟି

୩.

ଅନାଥ ଶିଶୁ

୪.

ଭିଖାରି

୫ .

ଗଣ୍ଠିଧନ

୬.

ପିକର ଆଦ୍ୟ ଗୀତି

୭.

ସାଳିଆ

୮.

ଲତାଟି

୯.

ଆକାଶ ଦୀପ

୧୦.

ସାର ଚାହିଁବା ମୋର

୧୧.

ଶିଶୁ

୧୨.

ବାସି

୧୩.

ନ ପାରିବି ଭେଟି ?

୧୪

ଭାଇ

୧୫

କୋଇଲି

୧୬

ପ୍ରଶ୍ନ

୧୭

କୁଆ ଶୁଆ

୧୮.

ଦୁଃଖୀ

୧୯.

ଯୁଗଳ କଳିକା

୨୦.

କାଳିଜାଇ

୨୧.

ତୃଷା

୨୨.

ଜନ୍ମ ଦିନ

୨୩.

ନିମିଷକ ଦେଖା

୨୪.

ଭିକ୍ଷା

୨୫.

ବିଧବା

୨୬.

ଯୁଗଳ

୨୭.

ବିହଗ ପରାଣ ଘେନା

୨୮.

ନିଦାଘ ସରସୀ

୨୯.

କାଶୀ ଯିବ ?

୩୦.

ପ୍ରତ୍ୟାଖ୍ୟାନ

୩୧.

ଏକାକୀ ଅଳି

୩୨.

ଜଳରେ ଅନଳ

୩୩.

ବେଗେ ଯାଉ ପାଇ

Image

 

ସୂର୍ଯ୍ୟମୁଖୀ

 

କେତେ ତରୁଲତା ଉପବନେ ଏଥି

ଶ୍ୟାମଳ ସୁବେଶେ ବିକଶନ୍ତି ନିତି ।

ଡାଳୁ ଡାଳେ ଝରି ପଡଇ ମାଧୁରୀ,

ଉଛୁଳଇ ପତ୍ର କିଶଳୟ ପୂରି ।

ସୁଧାସ୍ରୋତେ ଧୀରେ ବହଇ ସମୀର,

କୁଞ୍ଜୁ କୁଞ୍ଜେ ବାଚି ଖେଳାଇ ରୁଚିର !

ଡାଳେ ଡାଳେ ପତ୍ର ଶ୍ୟାମଳ ଗହଳେ

ଲୁଚି, ପରଭୃତ ଗାବଇ ମଧୁରେ ।

ଏ ସକଳ ମେଳେ ଛବିଳ ମଉନେ

ରହିଛୁ, ରେ ଫୁଲ, କୁ ଗୂଢ଼ ଧିଆନେ ।

ରାତିକ ଜାଗରେ ବସୁ ତୁ ଅନାଇଁ

ଉଷା ଅଙ୍କେ ରବି ଉଇଁବାର ପାଇଁ ।

ପାହାନ୍ତି ତପନ ପାଟଳିମା ଶୋଭା

ସୃଷ୍ଟି ଶିରୀ ମେଳେ କେଡ଼େ ମନଲୋଭା ।

ତହିଁ ତୁ ପୁଲକେ ପରାଣ ନିବେଶି,

ସେ ଶୋହା ସମ୍ଭାରେ ନିତି ଯାଉ ମିଶି ।

ଉଚ୍ଚୁ ଉଚ୍ଚେ ରବି ଯାଏ ଅପସରି,

ତା ତୁଲେ ଢଳଇ ତୋ ବଦନ-ଶିରୀ ।

ସେ ରବି ଆବର ପ୍ରତୀଚୀ ଭୂଧରେ

ପାଟଳ ହିଲ୍ଲୋଳେ ବୁଡ଼ିଯିବା ବେଳେ,

କି ଭାଳି ତୁରିତେ ଘେନି ତୋ ମେଲାଣି,

ରାତି ଉଜାଗରେ ବସିରହୁ ପୁଣି ।

ଦିନୁ ଦିନ ରବି ରୂପ ଅନୁସରି

ପୁରୁବୁ ପ୍ରତୀରେ ଯାଉ ଢଳି ଢଳି ।

ଏ ଯେ ଏ ମରତେ ସରଗ ସମ୍ଭାର,

ପରାଣ ପୁଲକେ ଖେଳେ ଅବିରଳ,

ଦିନେ କି ମନୁ ମୁଁ ପାରିବି ବିସୋରି ?

ରହିବି କେମନ୍ତେ ମୂରୂଛି ଏ ଶିରୀ ?

ଗୋଲାପ, ମନ୍ଦାର, ବକୁଳ, ମାଳତୀ,

ଯୂଇ, ଜାଇ, ମଲ୍ଲୀ, ନିଆଳୀ, ସେବତୀ –

କେତେ କେତେ ଫୁଲ ମଧୁ ସଉରଭେ

ଉପବନେ ଏଥି ନାଚନ୍ତି ଗରବେ ।

ଗୋଟିରୁ ଗୋଟିଏ ବଳି ବିମୋହନ,

ସାରା ବନଦେଶେ ଛବି ଅତୁଳନ ।

ଗୋଟି ଗୋଟି ହୋଇ ଖେଳି କିଶଳୟେ,

ଭସାଇ ଦିଅନ୍ତି ସୁରଭି ମଳୟେ ।

ଏ ସବୁରୁ ବଳି ମଧୁର ଆହୁରି,

ତୋ ବଦନ ଧୀର ବିନୟ ମାଧୁରୀ;

ଏ ଯେ ତୋର ଚାରୁ ସରଗ ପୀୟୂଷ,

ଜନକ ବଦନେ ମୃଦୁ ମଧୁହାସ;

କି ଅଛି ଜଗତେ ହେବ ତାକୁ ସରି,

ଫୁଟାଇ ତା ପାଶେ ଦେଖାଇବ ଶିରୀ ?

ତହୁଁ ବଳ ପୁଣି ଏ ଗୂଢ଼ ଧିଆନ

ସୁଖେ ଦୁଃଖେ ସମ ମନ ସନମାନ ।

ଢାଳିଥାଅ, ଫୁଲ, ଢାଳିଥା ରେ ରହି,

ତୋ ମନ ନୟନ ଦୂରୁ ଦୂରେ ତହିଁ ।

ଯେତେ ଦିନ ଫୁଟି ଶୋହିବୁ କାନନେ,

ବସି ଚାହିଁଥାଆ ପୁଲକ ମଉନେ ।

ସେ ଧିଆନେ ଯେବେ ଲଭିବୁ ବିଲୟ,

ବଢାଇବୁ ସୃଷ୍ଟି ସମ୍ପଦ ନିଶ୍ଚୟ ।

Image

 

ପଞ୍ଜୁରିଟି *

 

ଖଳ ଖଳ ହୋଇ, କାଠଯୋଡ଼ି ପାଣି,

କୂଳ ବନ୍ଧ ସେତୁ ସକଳ ଡେଇଁ,

ତୀର ତରୁ ଗିରି ଉପାଡ଼ି ନିମିଷେ,

ବେଗୁ ବେଗଭରେ ଯାଆ ରେ ବହି ।

ଗଛ ଲତା କେତେ ଦୂର ବନଦେଶୁଁ

ତୋ ବୁକେ, ତଟିନି, ଆସଇ ଭାସି;

ଚାହୁଁ ଚାହୁଁ ପୁଣି କେଉଁ ଦେଶେ ଯାଇ

କେତେ ଦୂରେ ଯିବ ପାଣିରେ ମିଶି ।

ସେହିଭଳି ଯାଉ ଏ ମୋ ପଞ୍ଜୁରିଟି

ଖରସ୍ରୋତେ ଭାସି ତୋ ଜଳଧାରେ,

ଦୂର ଦେଶେ ତହିଁ ଅଦୃଶ୍ୟ ହୋଇ ରେ

ବୁଡ଼ିଯାଉ ନଈ ଅତଳ ତଳେ ।

ଯାହା ପାଇଁ ଏତେ ଯତନେ ସମ୍ପାଦି

ପଞ୍ଜୁରିଟି ଥିଲି ଆଦରେ ରଖି ,

ସୁଖଦୁଃଖେ ମୋର ସମ୍ପଦବିପଦେ

ପ୍ରାଣମିତ ସେ ତ, ନୁହଇ ପକ୍ଷୀ ।

ସେହୁ ପୁଣି ମୋର କୁଟୀରଟିକର

ସୁଖ ଶିରୀ ଯାହା ବିସୋରି ଦେଇ,

ଏ ମହୀମଣ୍ଡଳୁଁ ମେଲାଣି ନେଇ ରେ

କେଉଁ ଦେଶେ ଏବେ ରହିଲା ଯାଇ ?

ଗଗନ ବିତାନେ କି ସରାଗେ ଆହା

ବିହଗନିକର ଉଡ଼ନ୍ତି ଏବେ;

ଗୋଟିଏ କି ଯାଇ ସେ ଦୂର ରାଇଜୁ

ତା ବାରତା ଆଣି ପାରିବ ଲବେ ?

ତରୁରୁ ତରୁକୁ ଉଡ଼ିଗଲା ବେଳେ

ଛାୟା ଗୋଟି ଗୋଟି ଯାଉଛି ଭାସି ;

ଏହିଭଳି ଆହା ନିମଷକ ଦେଖା

ତା ଛାୟା ମୋ ପାଶେ ଦିଅନ୍ତା ଆସି !

ବାଟଘାଟୁ ଫେରି ଆସିବାରେ ମୋର

ପଲକ ମାତର ଉଛୁର ଯେବେ,

ପଞ୍ଜୁରିଭିତରୁ       ଚାହିଁ ରହିଥାଏ

ଡାକି ପକ୍ଷୀ ସୁଧା ସେନେହ ରବେ ।

ଏବେ ଯେବେ ଘରେ ଏତେବେଳ ଅନ୍ତେ

ମିଳିବ ସେଭଳି ଆବର ଯାଇ,

କିଏ ଆଉ ଆଜି ଡାକିବ ରେ ମୋତେ,

ବସିଥିବ ଅବା ବାଟ ମୋ ଚାହିଁ ?

ପରାଣେ ପରାଣ ଢାଳି ତା ସମ୍ପଦେ

ପଞ୍ଜୁରିରେ ତାକୁ ରଖିଲି ଆଣି;

ଡାଳେ ଡାଳେ ଆହା ଉଡ଼ିଥିଲେ ବନେ,

କ୍ରୂର ହାତେ କାଳ ନ ଥାନ୍ତା ଟାଣି ।

ପ୍ରୀତିଡୋରେ ସିନା ହୃଦେ ହୃଦ ବାନ୍ଧି

ବେନି ଜନେ ଥିଲୁ ଉଷତେ ରହି;

ସେ ପ୍ରାଣ ପକ୍ଷୀଟି ତେଜି ଗଲା ଯେବେ,

କି ସୁଖ ମୋର ବା ଏ ଭାରା ବହି ?

ବହି ନିଅ ଖରେ, କାଠଯୋଡ଼ି ପାଣି,

ବାଲି ଶିଳା ପଙ୍କେ ଦିଅ ରେ ପୋତି;

ପରାଣର ଏ ଯେ ପଞ୍ଜୁରିଟି ମୋର

ଫିଙ୍ଗିଦେଲି ତୋର ଗରଭେ ଏଥି ।

 

*

କବି କଟକରେ ପଢ଼ିବା ସମୟରେ ତାଙ୍କ ବସାଘରେ ଗୋଟିଏ ଶୁଆ ପୋଷା ହୋଇଥିଲା-। ଶୁଆଟି ମରିଯିବାରୁ ପଞ୍ଜୁରିଟିକି କାଠଯୋଡ଼ି ପାଣିରେ ପକାଇ ଦିଆଗଲା ।

Image

 

ଅନାଥ ଶିଶୁ *

 

ଆଉ କିପାଁ ରାବୁ, ଶିଶୁ, ବିକଳେ ଏଭଳି ?

ବୃଥା ତୋର ଏତେ ଡାକ, ଏତେ ତୋର ଅଳି !

ପାଷାଣ ପାଦପଗଣ କି କରିବେ ଶୁଶି ?

ବୃଥା ଏତେ ଆକୁଳତା, ନ ହୁଅ ବାହୁନି

ଏହି ଯେ ଆସିଲି ମୁହିଁ ନଉ ପୃଷ୍ଠେ ବସି,

ବନ୍ଧୁଗଣ ମେଳେ ଯିବି ନାଚି ଖେଳି ହସି;

ଶୁଣୁ ଶୁଣୁ କାନ୍ଦ ତୋର ନ ଶୁଭିବ ଆଉ,

ରୂପଟି ତୋ ଲୁଚି ପୁଣି ଯିବ ଚାହୁଁ ଚାହୁଁ

କିପାଇଁ ରାବୁ, ରେ ଶିଶୁ, କାହାକୁ ଅନାଇଁ ?

କେହି କି ଭାଳଇ ତିଳେ ତୋ ବେଦନା ପାଇଁ ?

ଏହିକ୍ଷଣି ଘୋଟିଯିବ ନିବିଡ଼ ଅନ୍ଧାର;

ନ ଦିଶିବ କୂଳ, ପନ୍ତା, ପାଣି କି ପାହାଡ଼

ସେତେବେଳେ କି କରିବୁ ଅଭାଗା ପରାଣି,

କେଉଁଠାରେ ଆଶ୍ରା ନେବୁ ନିଜ ଲୋଡ଼ା ଜାଣି ?

କୁଆ ଶୁଆ ବସା ଖୋଜି ଯିବେ ତହିଁ ଉଡ଼ି,

ମାଛ ବେଙ୍ଗ ଯିବେ ସୁଖେ ପାଣିତଳେ ବୁଡ଼ି;

ଚିଲିକା ମଜ୍ଜିବ ନିଜ ନିଶୀଥ ଶୟନେ,

ପାଷାଣ ପାଦପେ ନିଦ୍ରା ଭଜିବେ କାନନେ

ତୁହି ଏକା କି କରିବୁ, ଅନାଥ ଶିଶୁଟି,

ରାତି ସାରା ରାବି ରାବି ଯିବ କି ତୋ ବିତି ?

ସେନେହେ ଯେ ପାଳିଥିଲା ଦୁଃଖିନୀ ଜନନୀ,

କେତେ ପରି ଝୁରୁଥିବ ବିକଳେ ବାହୁନି;

ଜାଣୁଥିବ ହରାଇଛି ପରାଣର ଧନ,

କାହୁଁ ସେ ବୁଝିବ ତୋର ଏ ଦୁଃଖ କଷଣ ?

ପଶୁକୁଳେ ଜନମିଛି ସରଳ ସେନେହେ,

କି ଜାଣିବ କି ବିଚାର ମାନବ-ହୃଦୟେ ?

ନିରଦୟ ହାତେ ଭିଡ଼ି ଯେଉଁ କ୍ରୂର ପ୍ରାଣୀ

ଛାଡ଼ିଲା ଏ ଅପନ୍ତରା ଦ୍ୱୀପେ ତୋତେ ଆଣି,

ତା ମରୁ କୋଟରେ ଶିଶୁ ଜନମି କି ନାହିଁ ?

ସ୍ନେହ ପ୍ରୀତି ବିନ୍ଦୁ ହୃଦେ ନାହିଁ କି ସେ ପାଇ ?

ଜଳଧି ଦେବତା ମା ଗୋ, ଜଗତତାରିଣି,

ଏ ଜଳ କଲ୍ଲୋଳେ କେଳି କରୁଛ ଜନନି,

କୋଳେ ତୋଳି ରଖି ଏହି ଅନାଥ ଶିଶୁଟି,

ଜଳ ବେଣୁ ତାନେ ଦିନ ଯାଉ ତାର ବିତି

 

*

ଚିଲିକା ଭିତରେ ପାହାଡ଼ରେ ଥିବା କାଳିଜାଇ ଦେବୀଙ୍କଠାରେ ବଳି ଦେବାକୁ ଲୋକେ ଯେଉଁସବୁ ବୋଦା ନିଅନ୍ତି, ତାଙ୍କୁ ନ ହାଣି ପାହାଡ଼ରେ ଛାଡ଼ିଦେଇ ଆସନ୍ତି । କବି ଥରେ ସାଙ୍ଗସାଥୀଙ୍କ ସହିତ ସେଠାକୁ ଯାଇଥିଲେ । ଲେଉଟିଲାବେଳେ ନାଆ ଚଳିବାର ଦେଖି ଛେଳିଛୁଆଟିଏ ବହୁତ ରାବିଲା । ମାତ୍ର ନାଉରୀ ତାକୁ ନାଆରେ ଆଣିବାକୁ ନାସ୍ତି କଲା । ନାଉରୀଙ୍କର ବିଶ୍ୱାସ, କାଳିଜାଇ ପାହାଡ଼ରୁ ଜନ୍ତୁ ଆଣିଲେ ନାଆ ବୁଡ଼ିଯିବ ।

Image

 

ଭିଖାରି

 

ଦୁଆରୁ ଦୁଆରେ ବୁଲି, ରେ ଭିଖାରି,

ବାଧିବଣି ଅଙ୍ଗଶ୍ରମ;

ଏ ଭିଖ ମୁଠିକ ଘେନି ଏବେ ଘରେ

ଫେରି ତୁ ଯାଅ ବହନ ।

ନିତି ନିତି କେତେ ବୁଲୁଛି ଏଭଳି

ଗାଆଁରୁ ଗାଆଁକୁ ଯାଇ,

ପୁଅ ଦୁହିତାଙ୍କ ପେଟ ପୋଷିବାକୁ

ଚାଉଳ ମୁଠିକ ପାଇଁ ।

କେତେ ଠାବେ କେତେ ଗାଳି ପରାଭବ

ସହୁଛୁ ମଉନ ଭରେ ।

ଧନି-ନୟନର ରକ୍ତିମ ଚାହାଣୀ

ବହୁଛୁ ନୀରବ ଭାଲେ ।

ଖରା ବରଷାରେ ଶୀତ କ୍ରୂର ହିମେ

ପୁଲକେ ଯାଉଛୁ ଚାଲି,

ଜୀବନର ସେ ଯେ ମଧୁ ଧ୍ରୁବତାରା

ହୃଦୟ ବେଦୀରେ ଧରି ।

ଯାହା ଲାଗି ଏତେ ଦୁଃଖ ଦୁରଗତି

ପରାଣ ନିରାଶାମାନ–

ତିଳେ କି ଏଥୁ ସେ ପାରୁଥିବେ ଜାଣି,

ଉଦାସେ ବିତାଇ ଦିନ ?

କି ପୀରତି ହୃଦେ ଧରିଛୁ ରେ ପୋଷି,

ଯାହାର ଅନୁଜ୍ଞା ପାଇଁ,

ଏ ଦୁଃଖ କଷଣ ଅଧର ତରଙ୍ଗେ

ରଖିଛୁ ବୁଡ଼ାଇ ଦେଇ ।

ଏ ସକଳ କଥା ଲବ ମାତରକେ

ପାରନ୍ତେ ଯେବେ ସେ ଜାଣି,

ପାଶୁ କି ନିମିଷେ କରନ୍ତେ ଅନ୍ତର

ଜୀବନ ଅମୂଲ୍ୟ ମଣି ?

ଦୁଆରୁ ଦୁଆରେ ମାଗି ମାଗି ଯାଉ,

ବଖାଣି ହରଷଭରେ

ଦୁଃଖୀ ପରାଣର ଯେ ଗୂଢ଼ ବାରତା

ରହିଛି ଏ ମହୀତଳେ ।

ଚାଉଳ ମୁଠିକ ପାଇଁ, ରେ ଭିଖାରି,

ହେଉ ଏତେ ହୀନିମାନ;

ସରାଗେ ମୁଠାଏ ଦେଲେ ଜଣେ, ରୋଷେ

ଅନାଏ କେହି ବା ଜନ ।

ଯାହା ଦୁଆରେ ଯେ ହୁଅଇ ଭିଖାରି

ଏ ବିଶ୍ୱ ଅନନ୍ତ ଦେଶେ,

କୁବେର ଜନକ ସଉଧ ବେଢ଼ାରେ

ସୁଦାମାକାଳିମ ବେଶେ

ସେ ଯେବେ ନିମିଷେ ଘେନନ୍ତା ହୃଦୟେ

ତା ହୃଦ ବେଦନାମାନ,

ଏ ଦୁଃଖ ନିରାଶା ଭାଳେଣି ସକଳ

କାହିଁକି ଜାଣନ୍ତା ପ୍ରାଣ ?

ଦୁଃଖୀ ପାଇଁ ଦିନେ କାହାରି ଜଗତେ

ନ କାନ୍ଦେ ଅନ୍ତର ତିଳେ;

ଯାହାର ଯେତିକି ଧନ ମାନ ଶିରୀ

ପୂଜା ତାର ମହୀତଳେ ।

ସୁଚାରୁ ସୁମନ ତରୁଡାଳେ ଖୋଜି

ଆସେ ମଧୁ ସଉରଭ;

ତଳେ ଝଡ଼ିପଡ଼ି ଥିବାର କଳିଟି

ଭାଗୀ କି ତହିଁରେ ହେବ ?

ବରଷା ଧଉତ ଜଳଦ କପୋଳେ

ଶୋହେ ସିନା ସୌଦାମିନୀ;

ଗ୍ରୀଷମ ସରସୀ ପଙ୍କିଳ ଲଲାଟେ

ଏ ଶିରୀ ଥାଇ କି ପୁଣି ?

ପରାଣ ପୀରତି ଅନ୍ତର ସେନେହେ

ଭୋକୀ ଯେ ହୁଅଇ ଭବେ,

ସେହୁ ସିନା ଯାଇ ଶୂନ୍ୟ ହୃଦେ ନିତି

ମାଗଇ କରୁଣ ରବେ ।

ତା ମାଗୁଣି ଯେବେ ନୋହିଲା ନିବାରି

ସୁବର୍ଣ୍ଣ ମେରୁ ଶଇଳେ,

କି ଲାଭ ଜଗତ ଅତୁଳ ସମ୍ପଦେ

ସରଗ ମରତ ପୁରେ ।

ତୋ ହୀନ ବସନ ଦୁଃଖିଜନ ବେଶ

କରୁଣ ମାଗୁଣି ପୂରି,

ଏ ଯେଉଁ ଅବନୀ ଅସୀମ ଅମୃତ

ସରଗେ ଉଠେ ଉଛୁଳି,

ବିନ୍ଦୁ ବିନ୍ଦୁ ଏଥୁ ବିତରି ଯାଅ ରେ

ଦୁଆରୁ ଦୁଆରେ ଆଜି;

ତୋ ହୃଦମଧୁରେ ପୁରୁ ମହୀତଳେ

ଏ ଶୂନ୍ୟ ହୃଦୟରାଜି ।

ତୁ ମହା କୁବେର ଏ ବିଶ୍ୱ ବିଭବେ,

ସକଳ ସମ୍ପଦ ବଳି;

ତୋ ପାଶେ, ଭିଖାରି, ମାଗନ୍ତି ସରବେ

ତୋତହୁଁ ଅତି ଭିଖାରି ।

ବେଳ ତ ବହୁତ ହେଲାଣି ଉଛୁର,

ବାଟ ବସିଥିବେ ଚାହିଁ;

ଦୁଆରୁ ଦୁଆରେ ମାଗି ତୁ ତୁରିତେ

ଭେଟ ରେ କୁଟୀରେ ଯାଇ ।

Image

 

ଗଣ୍ଠିଧନ

 

ମାଟି ଘାସେ ବସି ଏକା ଚଣ୍ଡାଳ ପିଲାଟି

ଅଳ୍ପ ଫଳାହାର ତାର ଖାଉଛି ସାଉଁଟି ।

ବାଲି ଧୂଳିମାଟି ସଙ୍ଗେ ମିଶିଯିବ ବୋଲି,

ରଖିଛି ଖପରାଟିରେ କି ଯତନେ ଭରି ।

“କାହା ପ୍ରାଣଧନ ଆରେ ହୃଦୟର ମଣି,

କେଡେ ହୀନିମାନ ଏଥି ନୋହୁଛୁ ତୁ ପୁଣି ।

ଘରେ ବୋଉ କୋଳେ ନେଇ ବସାଇ ଆଦରେ,

ଭୁଞ୍ଜଉଥାଆନ୍ତା ଭାତ କି ସେନେହଭରେ ।

ତୁ ଯେ ମାଟିତଳେ ଏତେ ହେଉ ନିରିମାଖି,

ଲବେ ଏଥୁ ଆଜି ସେହୁ ଜାଣି ପାରୁଛି କି ?

ଦଇବ ଜନମ ଦେଲା ଚଣ୍ଡାଳର କୁଳେ,

ଏଭଳି କି ଲୋଟିବାକୁ ଧୂଳି ମାଟି ତଳେ ?

କି ସୁଖେ ମୁଁ ଅଧ ହର୍ମ୍ୟେ ବସି ନିଶିଦିନ

ବିଶ୍ୱଶିରୀ ଭୁଞ୍ଜି ମୋର ଯାପୁଛି ଜୀବନ ।

ଏତିକି ଅନ୍ତର ବିହି ଏକୁ ଆନ କରି,

ଏ ସାରା ସଂସାରଟାକୁ ସୃଜିଛି କିପରି ?

ଯାଆ, ବାବୁ, ଫେରିଯାଆ ଘରେ ତୁ ତୁରିତେ

ବୋଉ-କୋଳେ ବସି ଭାତ ଭୁଞ୍ଜିବୁ ଉଷତେ ।”

ଏତେ ଭାଳି ଦୀର୍ଘ ଶ୍ୱାସ ତେଜିଲି ମୁଁ ଦେଖି ,

ଫଳାହାରୁ ମୁଠେ ମୋରେ ବଢ଼ାଇଲା ଡାକି

କି ବିଚାର କଲା ମନେ , ତାକୁ ସିନା ଜଣା;

ମୁଁ ଯେ ନେବି କି ନା, ହୃଦେ ଅତି କଳପଣା ।

ନିମିଷେ ରହିଲି ଥିରେ, ଦୋ ଦୋ ପାଞ୍ଚ ହୋଇ;

ମଉନେ ଘେନିଲି ତହୁଁ ପାଶେ ତାର ଯାଇ ।

ନାରାକ ହେବାରେ ମୋର ନ ବଳିଲା ଚିତ୍ତ;

ପକାଇଲି ମୁଖେ ମୁଁ ସେ ମୁଠିଟି ତୁରିତ ।

ମାଟି ଘାସେ ବସିଲି ସେ ପିଲାଟିର ତୁଲେ;

ମୁଠେ ସେହୁ ଖାଏ ନିଜେ, ମୁଠେ ଦେଇ ମୋରେ ।

ଏ ମରତେ ବଞ୍ଚି, ବୋଉ, ଥିଲେ ଆଜି ରହି,

ଏତେ ହୀନିମାନ ହୃଦେ ପାରନ୍ତୁ କି ସହି ?

ବେନିକି ନିଅନ୍ତୁ ପରା ବେନି କର ପାତି,

ମୁଁ ତୋ ଗଣ୍ଠିଧନ, ଏ ତୋ ଗଣ୍ଠିଧନ-ସାଥୀ ।

Image

 

ପିକର ଆଦ୍ୟ ଗୀତ

 

କେତେ କେତେ ଦିନ ଯାଇଛି, ରେ ପିକ,

ବିତି ଏ ଜୀବନେ ମୋର ;

ନିମିଷକ ଲାଗି ଲୋଡ଼ା ନାହିଁ ଏ ଯେ

ସୁଧାବାଣୀ ତୋ କଣ୍ଠର ।

ଶ୍ରାବଣ ଅସରା ଟପ ଟପ ଟପ

ଢାଳିଦିଏ କାହୁଁ ଆଣି;

ନଈ ନାଳ ପୂରି ବହି ଯାଉଥାଏ

ବରଷାର ବଢ଼ିପାଣି ।

କୁଆଁର ପୁନିଅଁ ଜହ୍ନର ଆଲୁଏ

ମନ ସନମାନେ ହସି,

କୁମାର କୁମାରୀ ଜୁଆ ଖେଳ କେତେ

ଆନନ୍ଦେ ଥାଆନ୍ତି ବସି ।

ବିଲ ମାଳେ ରବି ପାଟଳ ବସନେ

କନକ କେଦାର ଶିରୀ

ହସ ହସ ମୁଖେ କାଟି ଚଷାପୁଅ

ରଖଇ ଯତନ କରି ।

ଶୀତ ସାୟାହ୍ନର ଚୁଲି ଚଉପାଶେ

କୁଟୀର କୁସୁମପନ୍ତି–

ବୁଢ଼ୀ ମାଆ ତୁଲେ ଖେଳନ୍ତି ପିଲାଏ

ନାନା କଉତୁକେ ମାତି ।

ଯେତେ ଯେତେ ସୁଖ ଏଭଳି ମହୀରେ

ସରଗ ସମ୍ପଦ ଜିଣି,

ଦିନେ ତହିଁ ପିକ ଲୋଡ଼ି ମୁଁ ନାହିଁ ରେ

ତୋର ଏ ମୋହନ ବାଣୀ ।

ଆଜି ଏବେ ବହେ ମୃଦୁଳ ମଳୟ,

କି ଦୂର ବିଦେଶୁ ଆସି,

ଅବନୀ ଆକାଶେ ପୀୟୂଷ କମ୍ପନେ

ନବ ମଧୁ ପରକାଶି ।

ଡାଳେ ଡାଳେ ଆଜି ବନ ଉପବନେ

ସ୍ୱରଗ ସମ୍ପଦ ବଳି

ନବୀନ ମାଧୁରୀ ଏ ଯେତେ ତରୁଣ

କିଶଳୟେ ଉଠେ ଢଳି ।

ସୁମନେ ସୁମନେ ହୃଦ ବିନିମୟେ

ଉଛୁଳେ ସୋହାଗ ସୁଧା;

ଏକଇ ଏ ଖେଳ ପ୍ରତି ଖେଳେ ଆଜି

ସରଗେ ମିଶେ ବସୁଧା ।

ଏ ସକଳ ମେଳେ ନ ଖେଳେ ନିମିଷେ

କାହାର ଚପଳା ଶିରୀ,

ସରଗ ମରତ ପୀୟୂଷ ସଙ୍ଗୀତେ

ଏ କି ତାନ ଯାଏ ଛିଡ଼ି ?

କେତେ କେତେ ଦିନ ଯାଇଛି, ରେ ପିକ,

ବିତି ଏ ଜୀବନେ ମୋର;

ନିମିଷକ ଲାଗି ଲୋଡ଼ି ନାହିଁ ଏ ଯେ

ସୁଧାବାଣୀ ତୋ କଣ୍ଠର ।

ଗାଆ ଆଜି ଗାଆ କାନନ ଅତିଥି,

ଅଦେହ ଅମୃତ କେଳି;

ଶୂନ୍ୟରୁ ଉଛୁଳି ଶୂନ୍ୟ ଅନ୍ତରୀକ୍ଷେ

ଯାଉ ଏ ତଡ଼ିତ ଖେଳି ।

Image

 

ସାଳିଆ

 

ପିଲାଦିନେ ଅନୁସରି ତୀର ଯେବେ ତୋର

ବୁଲୁଥିଲି, ମନୁ ତିଳେ ଯାଇନି ପାସୋର ।

ଏବେ ମୋର ହେଲା ଆସି ଅଧିକ ବୟସ,

ବିତି ଏ ଜୀବନୁ ଗଲା ତିରିଶ ବରଷ ।

କେତେ ସୁଖ ଦୁଃଖ ବହିଗଲାଣି ଏ ଶିରେ,

କେତେ ବେଦନାର ଗାର ପଡ଼ିଛି ଅନ୍ତରେ;

କେତେ ସାଙ୍ଗସାଥୀମେଳେ ଯାଏ ମୋ ଜୀବନ,

କେତେ ଆଶା ହୃଦେ ନିତି ଖେଳେ ଅକଳନ ।

ଏସବୁ ଭିତରେ କିନ୍ତୁ ତୋ ତୀର ସମ୍ଭାର,

ନ ଗଲା, ସାଳିଅ, ମନୁ ନିମିଷେ ବିସୋର ।

ବୈତରଣୀ, ଚିତ୍ରୋତ୍ପଳା, ଋଷିକୁଲ୍ୟା ତଟେ,

ସୁଦୂର ସୁବର୍ଣ୍ଣରେଖା ଚାରୁ ସଇକତେ,

କେତେ ତ ବୁଲିଲି ଏକା, ସାଥିମେଳେ ପୁଣି;

ମନ ବିନୋଦନେ ନେଲି ଦିବସ ଯାମିନୀ ।

ତେତେ ଠାବେ ତୋ ପ୍ରତିମା ଖେଳେ ମୋ ନୟନେ,

ତୋ ପ୍ରୀତି ସମ୍ପଦ ଯାଏ ପରଶି ପରାଣେ ।

ବରଜି ତୋ ତୀର ନିଧି, ଦୂର ପରବାସେ

ବହିଲଇଁ ଆସି ଏଥି ପରଜନ ଦେଶେ ।

ସଂସାର କରମ ଜାଲେ ବନ୍ଧା ହେଲି ଏଥେ;

ପିଲାଦିନେ ସାଙ୍ଗସାଥୀ ଲୋଡିବି କେମନ୍ତେ ?

ଯାଆନ୍ତି, ସାଳିଆ, ଦିନେ ଅବସର ବେଳେ,

ବୁଲନ୍ତି ନିମିଷେ ତୋର ସେ ମୋହନ ତୀରେ ।

ସେ ପବନୁ ଧାରା ବେନି ପିଅନ୍ତି ଉଲ୍ଲାସେ,

ସେ ଯେ ଚିହ୍ନା ଗଛଟି ମୋ, ବସନ୍ତି ତା ପାଶେ ।

ପିଲାଦିନ ସାଥୀ ମୋର ସଙ୍ଗାତଙ୍କୁ ରାଇ

ସେ କାଳର ସୁଖ ଦୁଃଖ ଜଳପନ୍ତି ତହିଁ

ଖରାଦିନ ଖରାବେଳେ ଶୀତଳ ପବନେ

ଆମ୍ୱ ତୋଟା ମାଳେ ଯାଇ ବୁଲିବା ଗହଣେ;

ଶ୍ରୀପଞ୍ଚମୀ ଶ୍ରୀଫଳଟି ଖୋଜି ପାଣିତଳୁ,

ହାତେ ଘେନି ବୁଲିବାର ଦୁଆରେ ଦୁଆରୁ ;

ଦୋଳଯାତ୍ରା ଦୋଳିଖେଳେ ହରଷେ ବିହରି,

ଛକାଛକେ ହେବା ମୁହେଁ ଫଗୁ ବୋଳାବୋଳି;

ଧାନକଟା ବେଳେ ସୁଖେ ବିଲମାଳେ ଯାଇ

ଧାନମେଣ୍ଟି ରଚିବାର ବାଳୁତ ବଡ଼ାଇ;

କେତେ କେତେ କଥାମାନ ରଖିଛି ହୃଦୟେ,

ଜୀବନେ ନୋହିଲେ ଯହୁଁ ଭେଟାଭେଟି ଦୁହେଁ ।

ଛାଇତଳେ ଗଛମୂଳେ ନିବସି ଗୋପନେ,

ନଦୀ ଜଳକେଳି ସୁଖେ ଘେନୁଥିଲେ ମନେ ।

ମଞ୍ଜୁଳ ଶିଖରିରାଜ ଘଣ୍ଟଶିଳା ଗିରି

ଚଉଦିଗେ ଅବହେଳେ ବାଢ଼ଇ ତା ଶିରୀ ।

ଲୁଚି ତୋ ପୁଲିନଶାଖେ, ତୁହାଇ ତୁହାଇ

ବସନ୍ତଦୂତଟି କେତେ ଯାଉଥାଏ ଗାଇ ।

ତୋ ତୀର ନିକୁଞ୍ଜେ ବସି ମଧୁ ଆଳାପନେ

ରବି ଅସ୍ତବେଳେ ଲାଗୁଁ ଶୋଭା ଦରଶନେ ।

ଅନ୍ଧାରିଆ ହୋଇ ତହୁଁ ଆସେ ବାଟ ଘାଟ,

ଶଙ୍କିତେ ବରଜୁ ଆମେ, ସାଳିଆ, ତୋ ତଟ ।

ଘରେ ଯାଇ ସଞ୍ଜବେଳେ ଗାଆଁ ପିଲାମେଳେ

ସେ ଦିନର କଥା କେତେ ଫେଡ଼ୁଁ ବେନି ହେଳେ ।

ରାତିଖିଆ ସାରି ତୁଲେ ବସି ମାଆଙ୍କର

ତୋ ପୁଳିନ ଗାଥା ପରା ବଖାଣୁଁ ସକଳ ।

ଏ ସକଳ ଅନ୍ତେ ପୁଣି ନିଶୀଥ ଶୟନେ

ତୋ ମୋହନ ରୂପଶିରୀ ନିରେଖୁଁ ସ୍ୱପନେ ।

ସବୁ ଏବେ ହୋଇଛି କି ଦୁର୍ଲ୍ଲଭ ସ୍ୱପନ,

ଯାହା ଯାହା ଦିନେ ମୋର ହୃଦୟରତନ ।

ସେ ଶିଶୁ ବୟସ ଏବେ ହୋଇଛି ଅତୀତ,

ସେ ସରଳ ସମ୍ପଦ ମୋ ଛାୟା ବିଜଡ଼ିତ ।

ଏ ଯେତେ ଦୀନତା ଦିନେ ପିଙ୍ଗିଦେଇ ଦୂରେ ,

ବିହରନ୍ତି ଯାଇ ସୁଖେ, ସାଳିଆ, ତୋ ତୀରେ ।

ଶିଶୁ ବୟସର ସେ ଯେ ନିଧିଟିକ ମୋର,

ସାର୍ଥକ ତା ଲାଗି ଏକା ବଞ୍ଚି ରହିବାର ।

ସେ ଶିଶୁ ବୟସ ଏବେ ଯାଇଅଛି ବିତି,

ଫେରି ଯେ ଆସିବ ଚିତ୍ତେ ହେବ କି ପ୍ରତୀତି ?

ବେଳେ ବେଳେ କଣିକାଏ ଯେବେ ସେ ସମ୍ପଦୁ

ଲଭନ୍ତି, ସନ୍ତାପ କେତେ ବରଜନ୍ତି ହୃଦୁ ।

ଜରା ବୟସର ଏହି ମଞ୍ଚେ ଅବତରି,

ବାଳୁତ ଜୀବନ ପ୍ରାଣେ ପାରନ୍ତି ମୁଁ ଧରି ।

ସୁଦୂରେ ସ୍ୱଦେଶ ମୋର ଆସିଲେହେଁ ତେଜି,

ବିଦେଶେ ସ୍ୱଦେଶେ ସୁଧା ପାରନ୍ତି ଅରଜି ।

ତୋ ସମ୍ପଦ ଅନ୍ତରୁ ମୋ ଝରି ଅବିରଳ,

ବିରଚନ୍ତା ଯହିଁ ତହିଁ ସେ ମୋହନ ତୀର ।

ସେହି ତୀରେ ବୁଲି ମୋଦେ ବାଳୁତ ବିଭବେ

ଯାପନ୍ତି ଜୀବନ ମୋର ଚିର ଶଇଶବେ ।

ଅକ୍ଷୟ ସେ ସମ୍ପଦେ ତୁ ଥାଆ, ଗୋ ତଟିନି,

ଦିନେ ଏ ଜୀବନେ ଯାଇ ମିଳିବଇଁ ପୁଣି ।

Image

 

ଲତାଟି

 

କେତେ ଧରେ ଟେକି, ତୁହି ପଡ଼ି ପଡ଼ି ଯାଉ,

ତଳେ ଲୋଟିଯାଉ ମୁହିଁ ନ ଧଇଲେ ଆଉ ।

ତୋ ଧରିବା ପାଇଁ ଆଣି ରଞ୍ଜା ଦିଏ ଡେରି,

ରଞ୍ଜା ଘେନି ତଳେ ତୁହି ପଡ଼ିଯାଉ ଢଳି ।

ଯତନେ ମୁଁ ଚଉପାଶେ ବୁଜିଦେଇ ବାଡ଼

ବିଚାରଇ, ବଢ଼ୁଥିବୁ ଭିତରେ ତୁ ତାର ।

କିଏ କେତେବେଳେ କାହୁଁ ବାଡ଼ ଆସେ ଡେଇଁ,

ତୋ ଅଙ୍ଗୁ ନିଠୁରେ ଯାଏ ଡାଳପତ୍ର ଖାଇ ।

ମୁଁ ବଡ଼ ଆକୁଳେ ପରା ତୋ ମୂଳ ମଳାରେ

ନ ବାଧିବ ବୋଲି ତୋତେ ନିତି ପାଣି ଢାଳେ ।

ଘଡ଼ିକ ଖରାରେ ସେ ଯେ ଶୁଖିଯାଏ ପୁଣି;

ଝାଉଁଳି ପଡ଼ୁ ତୁ ତଳେ, କୋମଳ ପରାଣୀ ।

କେତେ ଦିନ ଏହିଭଳି କରୁଥିବି ନିତି,

ଟେକି ଧରୁଥିବି, ତୁହି ଯାଉଥିବୁ ଲୋଟି ?

ଆଜି ସିନା ଅଛି ମୋର ବେନି ପାଦେ ବଳ,

ଖୋଜି ନାନା ଉପାୟନ କରେ ଆଣି ଠୁଳ ।

ନାନା ଯତନେ ମୁଁ ତୋତେ ବଢ଼ାଏ ସତତ,

ତୋ ସେବା କରିଛି ମୋର ଜୀବନର ବ୍ରତ ।

ଏତେବେଳେ ଯେବେ ତୋତେ ନ ପାରିଲି ରଖି,

ବେଳ ଗଡ଼ିଗଲେ ଆଉ ରଖିପାରିବି କି ?

ପାଦ ଚଳୁଥିବ ନାହିଁ, ହାତ ହେବ ଜଡ଼,

ଫୁଟି ଯାଇଥିବ ଆଖି, ତୁଟିଥିବ ବଳ ।

ସେତେବେଳେ କାହୁଁ ଆଉ କି ରୂପେ ଭିଆଇ

ରଞ୍ଜା ପାଣି ଦେଇ ତୋତେ ରଖିବି ବଞ୍ଚାଇ ?

ଏକାଟି ଦୀନେ ମୁଁ କାହିଁ ରହିଥିବି ପଡ଼ି;

ସୁଖ ଦୁଃଖ ଜୀବନରେ ଯାଇଥିବ ସରି ।

ନିର୍ଜୀବ ପରାଣୁ ମୋର ଅବଶେଷଟିକ

ମରଣର ଚିତାନଳେ ଦେଉଥିବ ଡାକ–

“ଜୀବନର ପୁଣ୍ୟପୀଠ ସେନେହ ଲତାଟି

ନିଜ ହାତେ ଏ ଜୀବନେ ଦେଲି ଯାହା କାଟି ।”

Image

 

ଆକାଶ ଦୀପ

 

ଘନ ଘନ କଳା ବଉଦ ତୁରିତେ

ଘୋଟିଯାଏ ଯେବେ ଗଗନ-ପଟେ,

ଝୁପୁ ଝୁପୁ ହୋଇ ବରଷାର ଧାରା

ଗାଆଁ ବିଲ ବନେ ଝରଇ କେତେ ।

ଟୁପୁ ଟୁପୁ ଟୁପୁ ଟୋପି ଶବଦେ ତା

ଆକାଶ ଅବନୀ ପାତାଳ ପୂରି,

ନିଦ ଲାଗି ଆସେ ପାହାନ୍ତି ରାତିକି;

ଯାଏ ହୃଦେ କେତେ ସପନ ଖେଳି ।

ମେଘ ଘଡ଼ଘଡ଼ି ବିଜୁଳି ଝଟକେ

କମ୍ପି ଯାଉଥାଏ ଆକାଶ ମହୀ;

ବିଧୁତାରକା ଯେ ନିତି ରଜନୀରେ,

ସେ କୋଟି ସମ୍ପଦୁ ଗୋଟିଏ ନାହିଁ ।

ବରଷା ଯାମିନୀ କଜଳ ତିମିର

ଦଶ ଦିଗ ଯାକ ଥାଏଟି ଭରି;

ଘରୁ ଆସି ପଦା ଅନାଇ ଦିଅନ୍ତେ,

ବାହା ଚିତ୍ତ ଭୟେ ନ ଯିବ ଥରି ?

ସେତେବେଳେ ଏତେ ବାଆ ପାଣି ମାଡ଼େ

ମେଘମାଳା କୋଳେ ମଥା ଫୁଲାଇ,

ଘଡ଼ଘଡ଼ି ନାଦ ବିଜୁଳି ଝଟକ

ସବୁ ସହି, କିଏ ଏକାଟି ତହିଁ ?

ସୁନୀଳ ଗଗନ କୁଆତାରା ପରି

ଅବନୀ ଆକାଶେ ବିକଶି ହେଲେ,

କଳା ମେଘମାଳେ ସରଗ ସମ୍ପଦେ

ଢଳଢଳ କିଏ ପବନେ ଢଳେ ?

ଜଳ ଜଳ ଜଳ, ଆକାଶ ଦୀପ ରେ,

ନ ମାନି ତିଳେ ଏ ପାଣି ପଥର;

ଯେତେ ତେଜେ ଆସେ ବରଷା ବତାସି,

ତେତେ ବଳି ତେଜେ ଦିଗୁଣ ଜଳ ।

ନିମିଷ ଯୁଗଳେ ପାହିଯିବ ରାତି,

ବିତିଯିବ ଏ ଯେ ପବନ ପାଣି;

ପାହାନ୍ତି ପାଟଳେ ଉଦେ ହେବ ରବି,

ସରଗ ସୁବର୍ଣ୍ଣ ସମ୍ପଦ ଜିଣି ।

ସେତେବେଳେ ସିନା ଏ ରାତିଟା ଯାକ

ଜଳିବା ସାର୍ଥକ ହେବ ତୋ ଯାଇ;

ଏ ମର ଅବନୀ ଟିକି ଦୀପଟି ତୁ

ଅନନ୍ତ ଆତପେ ମିଳିବୁ କାହିଁ ।

ଜଳ ଜଳ ଜଳ, ଆକାଶ ଦୀପ ରେ,

ନିମିଷୁ ନିମିଷେ ପ୍ରସାରି କାୟା,

ଯେତେ ଯେତେ ଆସେ ବରଷା ବତାସି,

ତେତେ ଦୂରେ ଯାଇ ପଡ଼ୁ ତୋ ଛାୟା ।

ଧନ୍ୟ ତୁମେ ବିଶ୍ୱେ, ବିଧବା ନାରି ଗୋ,

ହରାଇଥିବା କି ନିଧିଟି ପାଇଁ,

ବହି ନିତି ଏତେ ଭାଳେଣି ପରାଣେ

ମରମ ଧିଆନେ ବସିଛ ଚାହିଁ ।

ଜାଳି ଦେଇଅଛି ପ୍ରଣୟ ପ୍ରଦୀପ,

ରମଣୀ ପରାଣ-ତଇଳେ ଭରି;

ଭାଗ୍ୟେ ଯଦି ସେହୁ ଦେଖା ଦେବ ଦୂରେ,

ପାଶେ ଯାଇ ପୁଣି ମିଳିବ ବୋଲି ।

କି ନିଧି ଜୀବନେ ଦେଇଛ ହରାଇ,

ଯା ଲାଗି ସାଧନା ଧିଆନ ଏତେ ?

କେତେ ଶିରୀ ଆହା ଜୀବନେ ସମ୍ପଦ

ଏ ଦୀପ ଅନଳେ ନ ଥିବ ସତେ ।

ଜଳ ଜଳ ଜଳ, ଆକାଶ ଦୀପ ରେ,

ନିମିଷୁ ନିମିଷେ କିରଣ ଢାଳି;

ଯେତେ ତୋ ଆଶାରେ ହୁଏ ଅପସର,

ତେତେ ବେଶି ତେଜେ ଯାଉଥା ଜଳି ।

ଝଡ଼େ ବା ତୋଫାନେ, ମହାସିନ୍ଧୁ ନୀରେ

ଭ୍ରମୁଥାଏ ପାନ୍ଥ ସରଣୀ ବିନା;

ଦୂରେ ନିରେଖିରେ ନିଶାଣ ଆଲୋକ,

ପରାଣ ଧ୍ରୁବ ସେ ଭେଟଇ ସିନା ।

ସେହିଭଳି ଭବେ ଯେତେ ଯେତେ ଜନ

ପ୍ରୀତି ପାରାବାରେ ଭ୍ରମନ୍ତି ଯାଇ,

ତାଙ୍କ ପାଇଁ ପରା ତୀର ସୌଧଚୂଳେ

ଏ ପୁଣ୍ୟ ନିଶାଣ ଧରିଛୁ ତୁହି ।

ଜଳ ଜଳ ଜଳ, ଆକାଶ ଦୀପ ରେ

ପୀରତି-ତଇଳେ ଅନ୍ତର ଭରି;

ଯେତେ ଦିନ ଯାଏ ଏ ଗୂଢ଼ ଧିଆନେ,

ତେତେ ବେଶି ତେଜେ ଯାଉଥା ଜଳି ।

Image

 

ସାର ଚାହିଁବା ମୋର

 

କେତେ ତ ବସିଲି ଚାହିଁ ନ ଆସିଲୁ ବାହୁଡ଼ି;

ନିମିଷେ ନୟନୁ ମୋର କାହିଁ ଗଲୁ ରେ ଉଡ଼ି ।

କି ସମ୍ପଦ ଅବା ତୋତେ ଦେଇଥାଆନ୍ତି ମୁହିଁ;

ତୁ ତ ଆସି ମାଗିଥିଲୁ ମୁଠେ ଚାଉଳ ପାଇଁ ।

କେତେ ବେଳ ହେଲୁ ଠିଆ ଆହା ନୀରବେ ଅତି;

ଶୁଣା ହେଲା ନାହିଁ ତିଳେ ହୃଦ ଗୂଢ଼ ଭାବଟି ।

ହସି ଖେଳି ଘରମଧ୍ୟେ ଯେତେ ଘରର ଜନ

ସୁଖେ ଦିନ ନେଉଛନ୍ତି, ଅତି ହରଷ ମନ ।

କିଏ ଠିଆ ହୋଇଅଛି ଏକାଟି ଯେ ଦୁଆରେ,

ବଦନମଣ୍ଡଳେ ହସ ଫୁଟି ନ ଉଠେ ତିଳେ ।

ସେହୁ ଆହା ନିଜ ଘରେ ଯଦି ଥାଆନ୍ତା ଏବେ,

କିବା ସୁଖୀ ସଉଭାଗୀ ହୋଇ ନ ଥାନ୍ତା ଭବେ ।

ପିଅର କୋଳେ ସେ ବସି ହୃଦ ପୁଲକ ଭରେ,

ସରଗ ନିଧି କି ନୋହିଥାନ୍ତା ମରତପୁରେ ?

ଏକୁ ବଳି ହସ ଖେଳେ ଭରି କୁଟୀର ଆଜି,

ଖେଳୁ କି ନ ଥାନ୍ତେ ସୁଖେ ଚାରୁ ସୁମନରାଜି ?

ଆଜି ଆହା ଶୂନ୍ୟହୃଦେ ହୋଇ ଠିଆଟି ତହିଁ,

ଗୋଡ଼ ଭାଙ୍ଗି କେତେ କାଳ ନେତ୍ରେ ରହିଲା ଚାହିଁ ।

ପ୍ରତି ପାଦ ଶବଦେ ଯେ ଫୁଟି ଉଠଇ ଆଶା,

ପ୍ରତି ଦୂର ବାଣୀ ପ୍ରାଣେ ଆଣେ ନବ ଭରସା ।

ଯେତେ ବା ଉଦାସ ଡାକ ଯହିଁ ଶୁଭେ ଶ୍ରବଣେ,

ତହିଁ ତହିଁ ଦାଉଁ ଦାଉଁ ବୁକୁ ପଡ଼ଇ କ୍ଷଣେ ।

କେତେ ବେଳ ଏହିଭଳି ହୋଇ ଠିଆ ସେ ତହିଁ,

ବିରାଗେ ବଢ଼ାଇ ଦେବା ମୁଠେ ଚାଉଳ ପାଇଁ,

କହିଲା, “ହେ ବାବୁ, ମୋତେ ମିଳି ମୁଠିଏ ଯାଉ”;

ଅଧେ କହି, ରହିଲା ତା ମୁଖେ ଅଧିକ ଆଉ ।

ତରତରେ ନେତ୍ର ରୋଷେ ତେଜି କରମ ମୋର,

ଏହି ହାତେ ଠାରି ଯାହା ପାଶୁ କଲି ମୋ ଦୂର ।

ପଦେ ତା ମାଗୁଣି ଆଉ ନାହିଁ ମୁଖୁ ସେ ଫେରି,

ପାଦେ ହେଲେ ଛିଡ଼ା ହୋଇ ଏଥି ନାହିଁ ସେ ରହି ।

ନିମିଷେ ନୟନ ଆଗୁ ହୋଇଗଲା ଅନ୍ତର;

ଚାହିଁ ଚାହିଁ, ସାର ଏବେ ହେଲା ଚାହିଁବା ମୋର ।

Image

 

ଶିଶୁ

 

କେତେ ଦୂରେ କାହିଁ ଅଜଣା କି ଦେଶ

ତେଜି ତୁ ଆସିଲୁ ଏଥି;

ଏ ନବ ରାଇଜେ ହସି ଖେଳି, ଶିଶୁ

ବିହାରିବୁ ନିତି ନିତି ।

ତୋ ମୁଖ ନିରେଖି ପରାଣ ଉଷତେ

ସାଇ ପଡ଼ିଶାଏ ଆସି,

ରୂପ ବଇଭବେ କେତେ ପରି ତୋର

ତୋଷି ହେଉଛନ୍ତି ବସି ।

ବନ ତରୁଲତା ଶ୍ୟାମଳ ଗହଳେ

ଏକାକୀ ଫୁଲଟି ପରି ,

ଫୁଟି ଦିଶୁ ଆଜି କେଡ଼େ ତୋରା ତୁ ରେ,

ଏ ଘର ବାହାର ପୁରି ।

ସକାଳେ ଫୁଟିଲା କଳିଟି ସରମେ

ଧୀରେ ତରୁଡ଼ାଳେ ଚାହିଁ,

ସଞ୍ଜ ନୋହୁଁ ଆହା ପଡ଼ଇ ମଉଳି

ଦିବସ-ଆତପ ସହି !

ଆଜି ସିନା ବାବୁ, ଶୋଇଛୁ ପୁଲକେ,

ହସୁଛୁ ସପନେ ଭୁଲି;

ହାତ ପାଦ ସୁଖେ ହଲାଇ ଖେଳୁଛୁ

ପଦପାଖୁଡ଼ାଟି ପରି ।

କାଲି ଯେବେ ପୁଣି ତେଜି ଏ ସପନ

ବୁଲିବୁ ସଂସାରେ ଯାଇ,

ଭଲ ମନ୍ଦ, ବାବୁ, କେତେ ଭେଟିବୁ ରେ,

କେତେ ସୁଖ ଦୁଃଖ ତହିଁ ।

ସହି କି ପାରିବୁ ତିଳେ ସେ ଦାଉ ତୁ

କୋମଳ ପରାଣେ ତୋର ?

ଏ ସୁଖ ସପନ ସରି କି ଯିବ ରେ,

ଏ ହସ ତୋ ବଦନରେ ?

ଯା ଅନୁଜ୍ଞା ଆଜି ଘେନି ତୁ ପରାଣେ

ଆସିଛୁ ମରତପୁରେ,

ସରଗ ରାଇଜ ସୁଖ ସଉରଭ

ମୂରୁଛି ସକଳ ହେଳେ;

ତହିଁ ଯେବେ, ଶିଶୁ, ରଖିଥିବୁ ନିତି

ତୋ ମନ ଧିଆନ ଢାଳି,

ସମ୍ପଦ ବିପଦେ ସୁଖ ଦୁଃଖେ ସଦା

ପୁଲକେ ପରାଣ ଭରି;

ସଂସାର କାଳିମା ବିଷ ପରଶେ ତା

ଛୁଇଁ କି ପାରିବ ତିଳେ

ତୋ ପରାଣେ ଯେଉଁ ପରଶମଣିଟି

ଫୁଟିଉଠେ ନିରନ୍ତରେ ?

ବନ ପରବତେ ଭ୍ରମିବୁ ପୁଲକେ;

ବନତରୁକୁଞ୍ଜେ ବସି,

ବନଫୁଲ ପରି ଶୋଇବୁ ନିରତେ

ମନ ସନମାନେ ହସି ।

ନଈକୂଳେ ବସି ଜଳ କଳଗୀତି

ଶୁଣିବୁ ପୁଲକଭରେ;

ଶୁକ ପିକ ତୀର କାନନ ଉଢ଼ାଳେ

ଗାଉଥିବେ ଡାଳେ ଡାଳେ ।

ପ୍ରଦୋଷ ସମୀରେ ହ୍ରଦ ଊର୍ମିପରେ

ଗଗନ କନକ ଆଭା

ଚପଳ ସମ୍ପଦେ ଖେଳି ଅବିରଳ

ଦିଶୁଥିବ ମନଲୋଭା ।

ସାଗର ସିକତା ସୁଖେ ତୁ ବିହରି

ମିଶିବୁ ତରଙ୍ଗେ ଯାଇ;

ଜଳବେଣୁ ନାଦେ ଊର୍ମିମାଳେ ଭାସି

ଯିବୁ ରେ ଜଳଧି ହୋଇ ।

ଗଗନୁ ଗଗନେ ଉଡ଼ି ଅଲକ୍ଷିତେ

ରବି ଶଶୀ ତାରକାରେ

ଏ ବିଶ୍ୱସଂସାର ଅନନ୍ତ ବିତାନେ

ଢାଳି ହୋଇଯିବୁ ହେଳେ ।

ଭଲ ମନ୍ଦ ଯେତେ ଅଛଇ ଜଗତେ,

ସୁଖ ଦୁଃଖ ଜୀବନରେ,

କଣିକାଏ କେବେ ତହୁଁ କି ରେ ହୃଦ

ପରଶିପାରିବ ତୋର ?

ଆଜି ଏବେ, ବାବୁ, ଶୁଅ ତୁ ପୁଲକେ

ହସ ରେ ସପନେ ଭୁଲି;

ହାତ ପାଦ ସୁଖେ ହଲାଇ ଖେଳ ରେ

ପଦ୍ମପାଖୁଡ଼ାଟି ପରି ।

Image

 

ବାସି

 

ଚାରୁ ପୁଷ୍ପରାଜ୍ୟେ ପୁଣ୍ୟ ରାଣୀ ଗୋ ମାଳତି,

କାହା ପାଇଁ ଏତେ ତୋର ସେନେହ ପୀରତି ?

ଅନାଇ ରହିଛୁ ନିତି କାହା ଆସିବାର,

ଗୁନ୍ଥି କାହାପାଇଁ ଏତେ ରଖୁ ପ୍ରୀତିମାଳ ?

ନୟନ ପଲକେ ସୁଖେ ରହିଛୁ ଧିଆନେ,

କି ଦୂରେ ପ୍ରତିମା ମଧୁ ପ୍ରେମିକ ନୟନେ ?

କିପାଇଁ ତୋର ଗୋ ଏହି ଚାହିଁ ବସିବାର,

କି ବାଞ୍ଛା ସିଦ୍ଧିକି ଏତେ ଜୀବନ ଜାଗର ?

ଦିବା ନିଶି ଅବିରଳ ବସି ଯୋଗାସନେ

ଅଟଳ ସାଧନା ସାଧୁ କି ପୁଲକ ମନେ ?

ନିତି ଶ୍ରମେ ଗୁନ୍ଥା ମାଳ ଶୁଖେ ତୋର ନିତି,

ଆଶା ମାତରେ ଟି ଦିନୁ ଦିନ ଯାଏ ବିତି ।

ପୁଣି ଆଶା ଧରି ବସୁ, ସେ ପଥ ଅନାଇଁ;

ନୂଆ କରି ଗୁନ୍ଥି ରଖୁ ମାଳଟି ତା ପାଇଁ ।

କିଏ ସେ ଏପରି ଅଛି ଏ ବିଶ୍ୱଭିତର,

ତୋର ଏତେ ସାଧନର ଉଚିତ ପାତର ?

ତୋ ଜୀବନେ ଅଛି ଯଦି ଏତେ ଚାହିଁ ବସା,

ଏ ମହା ସାଧନା ସଙ୍ଗେ ଏ ସେନେହ ଆଶା,

ତୋ ହାତରେ ଏତେ ମାଳା ବାସି ହୁଏ ଯେବେ,

ମୋ ପରାଣ ନିରାଶାର ହେତୁ କିବା ଭବେ ?

Image

 

ନ ପାରିବି ଭେଟି ?

 

ପାଣି ପବନର କିଛି ନାହିଁ ଯେ କଳନା,

ତିମିରେ ଦିବସ ପଡ଼େ ରାତିପରି ଜଣା;

ଘନ ଘନ ଗଗନେ କି ଚମକେ ବିଜୁଳି,

ଘଡ଼ି ଘଡ଼ି ଶୁଭେ ସିଂହ ଗରଜନ ଭଳି ।

ଶଇଳ ଶ୍ୟାମଳ ଚୂଡ଼େ ଜଳଦ ବିହାରେ,

ଚଉଦିଗ ଏକାପରି ଦିଶଇ ଆକାରେ;

ପୁରି ରହିଅଛି ପାଣି ନଈ ନାଳ ଧରି,

ବାଟ ଘାଟ ତିଳେ କାହିଁ ନ ହୁଅଇ ବାରି ।

ଏସନ ସମୟେ ମୁଁ ଯେ ଚାଲଇ ଏକାକୀ;

କେଡ଼େ ବଡ଼ ପଡ଼ିଆ ସେ,-ପାଉ ନାହିଁ ଆଖି ।

ବରଷା ଅସାରେ ସବୁ ଲୁଚି ଦୂର ପାଶେ,

ବାଡ଼ ବନ୍ଧ ତରୁ ଗିରି କାହିଁ ତ ନ ଦିଶେ ।

ପାଣି ପବନରୁ ଆଶ୍ରା ନେବାପାଇଁ ତିଳେ

ଗଛମୂଳେ, ବନ୍ଧତଳ ଖୋଜି ତ ନ ମିଳେ ।

ଏକଇ ଧିଆନ ଧରି ଚାଳଇ ମୁଁ ପାଦ,

ପ୍ରତି ପଦେ ଡରୁଥାଏ ଶତ ପରମାଦ ।

ବାଟେ ଚାଲଇ, ବା ହୋଇଲିଣି ବାଟବଣା,

ନିମିଷେ ଚରଣତଳେ ନ ପଡ଼ଇ ଜଣା ।

ଜଣେ ହେଲେ ଥାଆନ୍ତା କେ ପ୍ରାଣୀ କି ପାଦପ,

ପଚାରି ବୁଝନ୍ତି ପଥ ମୁଁ ଭ୍ରାନ୍ତ ମାନବ ।

କେତେ ଦୂରେ ପଡ଼ିଆରେ ବାଆ ପାଣି ତଳେ

ବୁଢ଼ୀଟିଏ ନଇଁ ନଇଁ ଚାଲେ ଧୀରେ ଧୀରେ ।

ବାଛି ବାଛି ଘାସବଣୁ ତୋଳୁଛି ପତର;

ଅଣ୍ଟିରେ ପୂରାଇ ତାକୁ ନଉଁଛି ଆବର ।

ବଦନେ ବିଷାଦ ଅବା ହାସ ନାହିଁ ତିଳେ,

କିଏ ଏ ଦୁଃଖିନୀ ଆଜି ଏ ମହୀମଣ୍ଡଳେ ।

ଏତେ ପାଣି ପବନେ ଯେ ହେଇଛି ବାହାର,

କୁଟୀର ଦୁଆରେ ବସି ପାରିଥାନ୍ତା ତାର ।

ଖଣ୍ଡେ ଦୂରୁ ଯେତେବେଳେ ଦେଖିଲା ସେ ମୋତେ,

ଏକାପରି ଚାହିଁ ବୁଢ଼ୀ ରହିଲା ଚକିତେ ।

“ଏତେ ପାଣି ପବନରେ ଏକୁଟିଆ ଆଜି

କାହିଁକି ଆସିଲୁ, ବାବୁ, ଗାଆଁ ଘର ତେଜି ?

ଗୋଡ଼ ହାତ କୋଲ ମାରିଯିବଣି ନିକର,

କିପାଇଁ ଆସିଲୁ, ପୁଅ, ଏଡ଼େ ସୁକୁମାର ?”

“ବାଟବଣା ହୋଇ ମୁହିଁ ଆସିଛି ବାହାରି”

କହିଲାରୁ, ମୋ ସଙ୍ଗତେ ବାହାରିଲା ନାରୀ ।

ଅଣବାଟେ ଅମଡ଼ା ସେ ଚାଲି ଆଗେ ଆଗେ

କେତେ ଦୂରେ ଯାଇ ବାଟେ ମିଳିଲା ସରାଗେ ।

ପଥେ ବେନି ଆଗ ପଛ ହୋଇ ଯିବାବେଳେ

କୁତୂହଳେ କେତେ କଥା ପୁଚ୍ଛା କଲି ତାରେ ।

ଉଦାସ ଯତନେ କେତେ ଲୁଚାଇ ଲୁଚାଇ

କହିଲା ସେ, ଘରେ ତାର କେହି ଆଉ ନାହିଁ;

ତିନୋଟି ପୁଅରୁ ହେଲେ ନ ରହିଲା ଜଣେ,

ସେଲାଗି ଆହାର ଖୋଜି ବୁଲେ ବନେ ବନେ ।

“ଏକୁଟିଆ ପଡ଼ିଛି ରେ ସକଳ ହରାଇ,

ଏ ପୋଡ଼ା ପେଟର ଜାଳା ତିଳେ ଗଲା ନାହିଁ ।”

ଏତେ କହି, ନୟନୁ ତା ଲୁହ ଯାଏ ଝରି;

କଣ୍ଠରୋଧ ହୋଇ କଥା ନ ପାରଇ ସ୍ଫୁରି ।

ସେ ଦୁଃଖ କାହାଣୀ ଶୁଣି, ବିଷାଦ ପରାଣେ,

ଦୀର୍ଘଶ୍ୱାସଟିଏ ଯହୁଁ ତେଜିଲି ମଉନେ,

ଫେରି ଚାଲିଗଲା ନାରୀ ନେତ୍ରୁ ନୀର ପୋଛି,

ଗଲାବେଳେ ପଦେ ହେଲେ କହି ନାହିଁ କିଛି ।

ମୁହିଁ ଦଣ୍ଡେ ଠିଆ ହେଲି ଥକା ମାରି ତହିଁ,

ପଛୁ ତାର ଯିବା ବେଟେ ବିଷାଦେ ଅନାଇଁ ।

ନିମିଷକେ ବରଷାର ଧାରାତଳେ ତହୁଁ

ଲୁଚିଗଲା ବୁଢ଼ୀଟି ସେ, ନ ଦିଶିଲା ଆଉ ।

ସଖାଙ୍କ ସଙ୍ଗତେ ଯାଇ, ନିଶି ଆଳାପନେ

ଯାପିଲି ରଜନୀ ସୁଖେ ସଉଧ ଭବନେ ।

ଗଗନୁ ବରଷାଧାରା ଝରେ ଅବିରଳ,

ଘଡ଼ଘଡ଼ି ଶବଦେ ଯେ ଲାଗୁଥାଇ ଡର ।

କାହିଁ ସେ ରହିଲା ଆହା ଫେରିଯାଇ ତହିଁ

ପଡ଼ିଆର ବୁଢ଼ୀଟି ସେ, କେହି କାହିଁ ନାହିଁ ।

ତା ତୁଲେ ନିମିଷେ ଆଉ ଯୁଗଳ ବିହାରେ

ବୁଲିଥାନ୍ତି ସେହିଭଳି ବାଆ ପାଣି ତଳେ ।

ଆଉ କଥା ଦୁଇ ପଦ ଅଧର କମ୍ପନେ

କହିବାର ଶୁଣିଥାନ୍ତି ତା ଶୁଷ୍କ ଲପନେ ।

ଆହା ସେ ଦୁଃଖିନୀ ଏକା ସେ ଭୀମ ପ୍ରାନ୍ତରେ,

ଥରି ଯାଉଥିଲା ଅଙ୍ଗ ବାଆ ପାଣି ଜାଡ଼େ !

ଦୁଇ ପତ୍ର ଶାଗ ମୁହିଁ ଘାସବଣୁ ତୋଳି

ଯତନେ ଅଣ୍ଟିରେ ତାର ଦେଇଥାନ୍ତି ଭରି ।

ଛିଣ୍ଡା କନା ଖଣ୍ଡିକେ ତା ମେଖଳ ଘେରାଇ,

ବୟସ ବିଷାଦ ଭାରେ ପଡ଼ିଅଛି ନଇଁ ।

କାହିଁ ଏବେ କେତେ ଦୂରେ ରହିଲା ବୁଢ଼ୀଟି;

ବାରେ କି ଜୀବନେ ଆଉ ନ ପାରିବି ଭେଟି ?

Image

 

ଭାଇ

 

ମରଣେ ମୁଦି ତା ନୟନଯୁଗଳ

ଅନ୍ତିମ ତଳପେ ଶୋଇଛି ଭାଇ,

ସୋଦର ବନିତା ତନୟ ସେନେହ

ପରାଣୁ ନିଠୁରେ ବିସୋରି ଦେଇ ।

କୁଟୀରୁ ଅନ୍ତର କର ନେଇ ତ୍ୱରା

ଶ୍ମଶାନେ ଦେବେ ସେ ସେ ତନୁ ଜାଳି,

ପ୍ରତିବାସୀ ଚିର ହୃଦ ଘେନାଘେନି

ନିରଦୟ ଚିତା ଅନଳେ ଢାଳି ।

ତରୁଣ ବନିତା କରୁଣ ବିଳାପେ

ପୂରିଛି ତାପିତ କୁଟୀର ସାରା;

ନିତି ଯହିଁ ଖେଳେ ସ୍ନେହ ସୁଧା ହାସ,

ବହେ ଆଜି ଶୋକ ଲୋତକଧାରା ।

ଭାଇଟି ନୀରବେ ଠିଆ ହୋଇ ପାଶେ

ଉଦାସେ କି ଅବା ଭାଳଇ ମନେ;

ଯୁଗଳ ଜୀବନେ କେତେ ତ କାନ୍ଦିଛି,

ଲୁହ ନାହିଁ ଆଜି ନୟନକୋଣେ ।

କରମେ ବିରାମେ ଶୟନେ ସପନେ

ଭାଇଟି ସେ ଏକା ଧିଆନେ ତାର;

ମୋହନ ନିବେଶେ ବହିଯାଏ ହୃଦେ

ସୋଦର ନିସର୍ଗ ସେନେହଭାର ।

ଅଧିକୁ ଅଧିକ ବଢ଼ଇ ବିଳାପ,

ଜଣୁ ଜଣେ ପୁଣି କାନ୍ଦଇ ଆସି;

ଭାଇଟି ନୀରବେ ହୋଇଛି ଠିଆ ତ,

ବିନ୍ଦୁ ବାରି ନେତ୍ରେ ନ ଉଠେ ଭାସି ।

ପ୍ରତିବାସୀ ଜନେ ଉଠାଇ ଶବଟି

କୁଟୀରୁ ଅନ୍ତର କଲେକ ତହୁଁ;

ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ,–

“କା ଲାଗି, ଭାଇ, ଏ କୁଟୀର ଆଉ ?”

Image

 

କୋଇଲି

 

ନିତି ଏ ପୀୟୂଷଧାରା ଢାଳୁ ତୁ, କୋଇଲି,

ଗଛଡାଳେ ଲୁଚି ରହି;

ନଦୀ ଗିରି ବନ ବିଲ ସରସୀ ପ୍ରାନ୍ତର

ଉଛୁଳି ପଡ଼ଇ ତହିଁ ।

ଫୁଲୁ ଫୁଲେ ପରଶି ସେ ମଧୁ କିଶଳୟେ

ନିମିଷେ ଯାଉଛି ଖେଳି,

ପଲ୍ଲବ ଅଙ୍କୁର ଯେତେ ବନ ତରୁ ଶାଖେ

ମୋହନ ଶ୍ୟାମଳେ ବୋଳି ।

ଏ ଦୀନ ବେଶେ ତୁ, ପିକ, ଅସୀମ ସମ୍ପଦ

ଲୁଚାଇ ରଖିଛୁ କାହିଁ,

ନବୀନ ବନସ୍ତେ ଚାରୁ କୁସୁମ ବିକାଶେ

ଆସି ବିତରିବା ପାଇଁ ?

ଇନ୍ଦ୍ରଧନୁ ସୌଦାମିନୀ ପୂର୍ଣ୍ଣ ବିଧୁକରେ

ସରଗେ ମରତେ ପରା

ତୋ ସ୍ୱର ସଙ୍ଗତେ ଆଣି ସମାନ କି ନିଧି

ବାଢ଼ି ନ ପାରିବ ଧରା,

କଣିକାଏ ସେଥୁ ଏବେ ଆହରି ପରାଣେ,

ସରସ ଏ ଜନ୍ମ ମୋର,

କିବା ମୁଁ ନୁହନ୍ତି ପୁଣି, ସେ ଗୀତ ପୀୟୂଷ

ପିଉଥିଲେ ନିରନ୍ତର ।

Image

 

ପ୍ରଶ୍ନ

 

କିପାଇଁ ଢଳୁଛୁ ଏଭଳି, ରେ ତରୁ,

ପଦେ କହୁ ନାହୁଁ କଥା ?

ଯେତେ ମୁଁ ପଚାରେ, ଶୁଣୁ ନାହୁଁ କିଛି,

ନାଡ଼ି ନିରନ୍ତରେ ମଥା ।

ଆସିଥିଲି କାଲି ମନ ସନମାନେ,

କହିଲୁ ନାହିଁ ତୁ କିଛି;

ଆଜି ତ ଆସିଛି, ଆସିବି ପୁଣି ରେ

ଯେତେ ଦିନ ନ ଶୁଣିଛି ।

ନାଚୁ କେତେମନ୍ତେ ସରସ ପରାଣେ,

ମୁହିଁ ବସିଅଛି ଚାହିଁ;

ତୁହି ଲୋଟିଯାଉ ପ୍ରାଣ ଗଦଗଦେ,

ମୁଁ କିଛି ବୁଝଇ ନାହିଁ ।

ସେନେହ ପରଶେ ବହି ସମୀରଣ

ଖେଳେ କି ପୀରତି ରଙ୍ଗେ;

ମୁହିଁ ବସିଥାଏ, କ୍ଷଣେ ସେ ତରଙ୍ଗ

ପରଶିଯାଏ ମୋ ଅଙ୍ଗେ ।

ଅନାଇ ରହିଛି ନୀଳ ନଭ ପଟେ

ନୋଇଁ ନାଲି ମେଘ ମଥା;

ସୁଦୂର ଅଦୃଶ୍ୟୁ ଢାଳିଦିଏ କାହିଁ

ପିକ ତା ପୀରତି ଗାଥା ।

ଶଗଡ଼ିଆ ଯାଏ ଅଡ଼ାଇ ଶଗଡ଼,

ମେଲି ମଧୁଗୀତି ଧ୍ୱନି;

ଖେଳି ଶିଶୁଗଣ ବୁଲନ୍ତି ସରାଗେ,

ମୋ ହୃଦ ଅମୂଲ୍ୟ ମଣି ।

ମୁହିଁ ତେବେ କିପାଁ ତୁନି ହୋଇ ଏଥି

ଶୂନ୍ୟେ ବସିଥିବି ଚାହିଁ ?

ପରାଣ ନିହିତ ସେ ମୋର ପ୍ରଶ୍ନଟି

ଉଭେଇ ଯାଉଛି କାହିଁ ।

ତୁହି ନାଚୁଥାଉ ତୋ ନିଜ ପୁଲକେ,

ପଦେ କହୁ ନାହୁଁ କଥା;

ଅତୃପ୍ତ ହୃଦେ ମୋ ଖେଳି ଆସେ ତୃପ୍ତି,

ପୁରିଯାଏ ଅପୂର୍ଣ୍ଣତା ।

କେତେ ଦିନ ସୁଖେ ନାଚୁଥିବୁ, ତରୁ ,

ତୁ ନିତି ନୃତ୍ୟେ ଏଭଳି,

କେତେ ଦିନ ଅଙ୍ଗେ ଦୂର ସମୀରଣ

ଧୀରେ ଯାଉଥିବ ଢଳି ?

କେତେ ଦିନ ମୁହିଁ ଆସିବି ତୋ ପାଶେ

ଗୁପତେ ପୁଚ୍ଛିବା ପାଇଁ;

ଫେରି ଯାଉଥିବି, ପରାଣୁ ମୋର ସେ

ପ୍ରଶ୍ନଟି ପାସୋରି ଦେଇ ?

ଆସୁ ଆସୁ ଯେବେ ମୋ ବଳ ଟିକକ

ଚରଣୁ ପଡ଼ିବ ଖସି,

କୁଟୀର କୋଣେ ମୁଁ ଏକାକୀ ହୋଇ ରେ

ରହିବି ମଉନେ ବସି;

ସେତେବେଳେ ସିନା ନିମିଷୁ ନିମିଷେ

ପାଶେ ଲୋଡ଼ି ନେବି ତୋତେ;

ତୁରିତ ତୃପ୍ତିରେ ମିଶାଇ ମୁଁ ଦେବି

ମୋର ପଚାରିବା ଯେତେ ।

ଏ ସଂସାରୁ ପୁଣି ଯିବି ଯେବେ ଚାଲି,

ମୋ ଶେଷ ମେଲାଣି ନେଇ,

ସେ ଦୂର ରାଇଜେ ବାରେ କି, ରେ ତରୁ,

ଦେଖା ଦେବୁ ଯାଇ ତୁହି ?

Image

 

କୁଆ ଓ ଶୁଆ

 

ରାତି ପାହାନ୍ତିରୁ ତୁରିତେ ଆସି,

ରାବିଯାଏ କୁଆ ପବନେ ଭାସି ।

ଡାଳୁ ଡାଳେ ବସି, ନିଶି ଶିଶିର

ଚରଣ ଯୁଗଳେ ପରଶେ ତାର ।

ସୁଦୂର ଗଗନୁ ଆଣଇ ଲୋଡ଼ି,

ରବି ଉଇଁବାର କନକ ଶିରୀ

ବନ ପରବତେ ତଟିନୀ ତୀରେ

ଉଡ଼ି ଉଡ଼ି ଯାଏ ପୁଲକଭରେ ।

ଶୁଆ ପୁଣି ତରୁ ଗହଳେ ଗାଇ,

ବନ ଗିରି ପଦା ଦିଅଇ ମୋହି ।

ବିଲେ ବିଲେ ବୁଲି ସରାଗେ ନିତି,

ଢାଳେ ଚଷାକାନେ ସରଗ ଗୀତି ।

ନଈ ପୋଖରୀରୁ ପିଅଇ ପାଣି,

ଉଡ଼ି କହିଯାଏ ପୀରତି ବାଣୀ ।

ଘର ପଞ୍ଜୁରୀରେ ବସଇ ଆସି,

ସୁମରି କାନନ ସମ୍ପଦରାଶି ।

ଦୁହେଁ ଦୁହିଁଙ୍କି ବଳି ବଳିଆର–

କୁଆ କଜଳ, ଶୁଆ ସୁକୁମାର ।

ବେନିଏ ବେନିଙ୍କ ସେନେହ ଡୋରେ

ବନ୍ଧା ଏ ମରତେ ଅଟବୀ କୋଳେ ।

ତେଜି ଯାବତ ବଇରି-ବେଭାର,

ମନ ବିନୋଦନେ ବିତାଅ କାଳ ।

ଏକ ତରୁଡାଳେ ବେନିଏ ବସି ,

ମିଶା ମଧୁସ୍ୱରେ ଯାଅ ରେ ମିଶି ।

Image

 

ଦୁଃଖୀ

 

ଦୁଇ ଦିନେ ତାରେ ନ ମିଳେ ମୁଠିଏ

ଉଦର ପୂରାଇବାକୁ;

ଚିରା କନା ଖଣ୍ଡି ବେଢ଼ାଇ ଉଦାସେ,

ଭୂଷଣ କରିଛି ତାକୁ ।

ଗଆଁରୁ ଗାଆଁକୁ ବୁଲି ସେ ଯାଉଛି

ବଦନ ପୁଲକେ ଚାଲି,

ଅଧର ଯୁଗଳୁ ଦୁଃଖୀ ପରାଣର

ଅମୃତ ବାରିଧି ଢାଳି ।

ଗଛ ଛାଇ ତଳ ମୃତ୍ତିକା ତଳପେ

ଶୋଉଛି ସପନେ ମଜ୍ଜି,

ଡାଳୁ ଡାଳୁ ଅଙ୍ଗେ ବରଷି ଯାଉଛି

ସୁମନ କଳିକାରାଜି ।

ପର ସୁଖଶିରୀ ପରାଣ ସମ୍ପଦେ

ନୟନ କମ୍ପନେ ହସି,

ନିମିଷକ ଦୁଃଖ ଭାଳେଣି ଦେଖିଲେ,

ନିଜେ ଭାଳୁଥାଏ ବସି ।

କାନନ ଉଢ଼ାଳେ ପିକ କଣ୍ଠ ତାନ

ଶୁଣଇ ଶ୍ରବଣ ଡେରି,

ତଟିନୀ ଅସ୍ଫୁଟ ସଙ୍ଗୀତେ ମଜ୍ଜଇ

ଜାଗ୍ରତ ସପନେ ଭୁଲି ।

ଶଇଳ ଶ୍ୟାମଳ ଶିଖରେ ଆରୋହି

ପାଷାଣ ଶକଳେ ମିଶି,

ଅବନୀ ଗଗନ ମୋହନ ମାଧୁରୀ

ପରାଣେ ଘେନଇ ବସି ।

ବନ ତରୁ ଲତା ଫଳ ମୂଳ ଯେତେ

ଲୋଟି ଯାଉଥାଏ ବନେ,

ଭୁଞ୍ଜି ତା ହରଷେ, ବନ ଝର ପାଣି

ପିଅଇ ଉଷତ ମନେ ।

ରଜା ମରିଯାଇ ଅରାଜକ ଦିନେ

ନିଖିଳ ରାଇଜ ଯେବେ,

କିଏ ରାଜା ହେବ ବସିବ ଗାଦିରେ

ଭାଳେଣି ପଡ଼ିଲା ଭବେ ।

ହାତୀ ବୁଲୁଥିଲା ଗାଆଁ ବିଲ ବନେ

କନକ କଳସ ଧରି,

କେ ଅଛି ପାତର ରାଜଗାଦିକି, ସେ

ଶିରେ ତାର ଦେବ ଢାଳି ।

ଶୋଇଛି ଦୁଃଖୀଟି ମୁଦି ବେନି ଡୋଳା

ମୃତ୍ତିକା ତଳପେ ଆହା,

ବାହୁ ଉପାଧାନେ ମଥା ଅବରୋହି;

ବିଟପୀ ଢାଳଇ ଛାୟା ।

ସୁଲୁ ସୁଲୁ ବୋହି ଯାଉଛି ପବନ,

ଧୀରେ ତା ପରଶି ତନୁ;

କଳ ଗୀତେ ଢଳି ଯାଏ ନିର୍ଝର, ତା

ଭାଳେଣି ଆହରି ମନୁ ।

ଭାଙ୍ଗିଲା ତା ନିଦ, ଢାଳି ସେ କଳସ

ସପନ ନିହିତ ଶିରେ;

ବସାଇ ଦୁଃଖୀକି ପୃଷ୍ଠ ସିଂହାସନେ

ପୁଲକେ ଫେରିଲା ପୁରେ ।

Image

 

ଯୁଗଳ କଳିକା

 

ତରୁ ଶ୍ୟାମ କିଶଳୟେ ଯୁଗଳ କଳିକା,

କାନନ ସାୟାହ୍ନ ନଭେ ବିମଳ ତାରକା ।

ଏକେ ଆନେ ବିମୋହନେ ଗୁନ୍ଥା ପ୍ରୀତିଡୋରେ,

ସୁମନ ସୋହାଗ ବହି ଅଧରୁ ଅଧରେ ।

ତରୁଣ ବିଭବେ କାର ନ ଫୁଟିଛି ବାସ,

ପାଖୁଡ଼ା କେଶର ଶିରେ ନୋହିଛି ପ୍ରକାଶ ।

ଭବିଷ୍ୟ କଳ୍ପନା କେତେ ସମ୍ପାଦି ହୃଦୟେ,

କୁସୁମପ୍ରେମିକ ଅଳି ଦେଖି ଉଡ଼ିଯାଏ ।

ମୃଦୁଳ ମଳୟ ଧାରା ବହି ଅବିରତେ,

ଯୁଗଳ ସୋଦର ତନୁ ଖେଳାଏ ଶଙ୍କିତେ ।

ଆଉ ଆନ କିଶଳୟେ ପ୍ରୀତି ସହଯୋଗେ

କେତେ ଆସେ ନବ କଳି ବିକଶି ସରାଗେ ।

କିବା ସେ ସମ୍ପଦ ସେହୁ ସାରା ଉପବନେ,

ନ ଦେଖେ ଦୋସର ନେତ୍ର ଅବନୀ ଗଗନେ ।

ଏବେ ଆହା କାହା କର କଠୋର ପରଶେ

ଛିଡ଼ି କଳିଟିଏ ଢାଳୁ ପଡ଼ିଛି ନିମିଷେ ।

ଆନ କଳିଟି ସେ ଡାଳେ ଅବନତ ମୁଖେ

ସୋଦର ମଳିନ ତନୁ ନିରେଖଇ ଦୁଃଖେ ।

ବିସୋରିଛି ପରାଣର ସକଳ ବାସନା,

ସୁମନ ସୁରଭି ହୃଦେ କି ଆଜି ଭାବନା ।

କିପାଁ ଏଡ଼େ ହୀନିମାନ ଏକାକୀ କଳିଟି ?

ଝର ତରୁ ଡାଳୁ, ଯାଆ ଭୂଇଁ ,ତଳେ ଲୋଟି ।

କିଶଳୟେ ବସି ଯେବେ ସୋଦର ଗହଣେ,

ସୁମନ ସମ୍ପଦ ଭୋଗ ନୋହିଲା ଜୀବନେ,

ଅନ୍ତିମ ସପନେ ଶୋଇ ଧୂଳି ମାଟି ତଳେ,

ସେ ସୁଖ କଣିକା ଆଜି ଭୁଞ୍ଜରେ ନିରୋଳେ ।

Image

 

କାଳିଜାଇ

 

“ଭଲ କରି ନାଆ ବୁହା, ରେ ନାଉରି,

ଝିଅକୁ ମାଡ଼ୁଛି ଡର;

ଗଡ଼େ ଗଡ଼ଲୋକେ ଚାହିଁ ବସିଥିବେ,

ଝିଅ ଯିବ ଶାଶୁଘର ।”

ଭଲ କରି ନାଆ ବୋହୁଛି ନାଉରି,

ତଲେଇ କରିଛି ଠିଆ;

ମାମୁଭଣଜାର କୋଣରୁ ଆସେ ଲୋ

ବୋହି ସୁଲୁ ସୁଲୁ ବାଆ ।

ଦିନ ଦଶ ଘଡ଼ି ହେଲାଣି ଟି ଆସି,

ଖରା ମାରେ ଚାଇଁ ଚାଇଁ;

ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ ,

ବେଳ ତ ପାଇବ ନାହିଁ ।

ନାଉରି ବାପୁଡ଼ା କାତ ମାରୁଅଛି,

ଉଦାସେ ଗାଉଛି ଗୀତ;

ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,

ଜଣା ନ ପଡ଼ଇ ବାଟ ।

ମାଆ ଭଉଣୀଙ୍କି ସାଥୀ ସଙ୍ଗାତଙ୍କୁ

ଝିଅ ଯେ ଆସିଛି ଛାଡ଼ି;

ନାଆରେ ବସି ସେ ତାଙ୍କରି କଥା ଲୋ

ହୁଏ ନିରନ୍ତର ଭାଳି ।

ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ

ରହିଲେ ଦୂରସ୍ଥେ କାହିଁ;

ପରତେ ନୋହୁଛି, ଆଉ କି ଦିନେ ଲୋ

ଫେରି ସେ ଦେଖିବ ଯାଇ ।

ନାଆ ଚାଲିଅଛି ପବନ ସମାନେ,

ମୁହୂର୍ତ୍ତେ ନ ହୁଏ ଥୟ;

ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ

ଅନାଇ ଦେଖନ୍ତା ଝିଅ ।

ଘଣ୍ଟଶିଳା-ଶିଖେ ଚାହିଁ ସେ କହନ୍ତା,

“ଦିଅ ରେ ମେଲାଣି ମୋତେ;

ଭେଟ ଆଉ ଦିନେ ନୋହିବ ଜୀବନେ,

ଯାଉଛି ଘୋର ବନସ୍ଥେ ।”

ସାଳିଆ ନଈ ତା ନିତିଦିନ ସାଥୀ ,

ସୁଖେ ସେ ବୁଲଇ କୂଳେ;

ବେଳେ ସୁଏ ତାର ସ୍ନାହାନ ସାରି ଲୋ,

ହସି ଲେଉଟଇ ଘରେ ।

କାଳିଅନ୍ଧାରୁ ସେ ଚାଲି ଯେ ଅଇଲା,

ଦେଖି ତ ନାହିଁଛି ତାକୁ;

ଭାରି ଖ୍ୟାତ ନଈ, ନାଆଁଟି ତାର ଲୋ

ନିତି କୋଡ଼ି କୋଶେ ଡାକୁ ।

ମାଆ ଭଗବତୀ- ପୀଠ କୂଳେ ତାର,

‘ଜଗତ୍ରତାରିଣୀ’ ନାଆଁ ;

ଡାକି କହିଥାନ୍ତା, ନୋହିଲା ଆଉ ଲୋ,

“ସାହା ମୋ ଥିବୁଟି, ମାଆ ।”

ନାଆ ଆସି ହେଲା ପ୍ରବେଶ ଦଣ୍ଡକେ

ଚଢ଼େଇହଗା ପାହାଡ଼େ;

ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ

ରହିଲା ସାଳିଆ ଦୂରେ ।

ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ

ଗଣ୍ଡତଡ଼ କଳାପାଣି;

ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,

ତିନ୍ତି ପିନ୍ଧା ଛିଟକାନି ।

“ପାରିକୁଦ ବୋଲି ରାଇଜ ପୁଣି ସେ

ଚିଲିକା ମଝିରେ କାହିଁ;

କେମନ୍ତେ ମୂର୍ଚ୍ଛିଲ ଝିଅକୁ, ବାପା ହେ,

ଏତେ ଦୂରେ ଦେବାପାଇଁ ?

ବର ବୋଲି ଯାର ଧରାଇଲ ହାତ

କି ତାର ଦେଖିଲ ଶିରୀ ?

ରୂପ ବିଦ୍ୟା ଆଉ ବିଭବ, ବାପା ହେ,

ତିହ୍ନିଏ ତିହ୍ନିକି ବଳି ।

ମହୀମଣ୍ଡଳେ ତ ନ ଥିବ କେ କାହିଁ

ମୋ ଭଳି ନିରେଖ ଜନ;

ଏ ମହା ସମୁଦ୍ର ମଝିରେ, ବାପା ହେ,

କେମନ୍ତେ ବଞ୍ଚିବି ଦିନ ?

ଏଡ଼େ ହୀନିମାନ କରିବାକୁ ଯେବେ

ମନରେ ଥିଲା ବିଚାର,

ଅନ୍ତୁଡ଼ିଶାଳେ ଟି କିପାଇଁ, ବାପା ହେ,

ତଣ୍ଟି ଚିପି ନ ମାରିଲ ?

ଝିଅକୁ ନିଶ୍ଚିନ୍ତେ ଦେଇଛୁ ପଠାଇ

ବନସ୍ଥକୁ ଜାଣୁ ଜାଣୁ ;

କପାଳ ଆଦରି ଯାଉଛି, ବୋଉ ଲୋ ,

ପାସୋରି ନ ଦେବୁ ମନୁ ।”

ନାଆ ଉଡ଼ିଯାଏ ପବନ ସମାନେ,

ନାହିଁ କ୍ଷଣେ ହୁଏ ଥୟ;

ଝିଅ ବସିଅଛି ତୁନିଟି ହୋଇ ଲୋ,

ନେତ୍ରୁ ବୋହିଯାଏ ଲୁହ ।

“ନାଆ ଚାଲିଅଛି ପବନ ସମାନେ,

ନ ମାନେ ପାଣି ପଥର;

ତୁନି ହୁଅ, ଜାଇ ନ କାନ୍ଦ ଆଉ ଲୋ,

ଏଇ ଦିଶିଲାଣି ଗଡ଼ ।”

ଏତେ ବୋଲି ବାପା ଝିଅର ଆଖିରୁ

ଦେଲେ ଲୁହଧାର ପୋଛି;

ଯେତେ ପରି ତାକୁ ବୁଝାନ୍ତି ବସି ଲୋ,

ଜାଇ ବୁଝୁ ନାହିଁ କିଛି ।

“ଭଲ କରି ନାଆ ବୁହା, ରେ ନାଉରି,

ଝିଅକୁ ମାଡ଼ୁଛି ଡର;

ଏତେ କାଳେ ଜାଇ ନାଆରେ ବସୁଛି

ଯିବ ବୋଲି ଶାଶୁଘର ।”

ଭଲ କରି ନାଆ ବୋହୁଛି ନାଉରି,

ଭିଡ଼ି ମାରୁଅଛି କାତ,

ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,

ଜଣା ନ ପଡ଼ଇ ବାଟ ।

ନାଆ ଭାସି ଆସି ଦଣ୍ଡକ ଭିତରେ

ମଝି ଗଣ୍ଡେ ହେଲା ଯାଇ;

ଥିର ହୋଇ ହେଲା ନାଉରି ଠିଆ ଲୋ,

କାତ ଆଉ ପାଉ ନାହିଁ ।

ଭାଲେରି-ଶିଖରୁ ଚଲା ମେଘ ଖଣ୍ଡେ

ଉଠେଇ ଆସିଲା କାହୁଁ;

ଲୁଚିଗଲେ ତହିଁ ସୂର୍ଯ୍ୟଦେବତା ଲୋ,

ଖରା ନ ପଡ଼ଇ ଆଉ ।

ମାଡ଼ି ଆସୁଅଛି ଅତି ବେଗେ ମେଘ

ଜଟିଆ-ନାସିକି ଧରି;

ବରଷା ବତାସି ଗରଜୁଅଛି ଲୋ,

ଦିନ ଦିଶେ ରାତି ପରି ।

ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,

ବୁଡ଼ିଯିବ ହାତୀ-ଛତି;

ଟଳମଳ ହୋଇ ଟଳୁଛି ନାଆ ଲୋ,

ନାଉରିର ବଡ଼ ଭୀତି ।

“ଭଲ କରି ବେଗେ ବୁହା, ରେ ନାଉରି,

ନାଆ ହେଲା ଟଳମଳ;

ବରଷା ବତାସି ଗରଜି ଆସୁଛି,

ଝିଅକୁ ମାଡ଼ୁଛି ଡର ।”

ବରଷା ବତାସି ଗରଜି ଆସିଲା,

ନାଆ ନୁହେଁ ଥୟ କରି;

ଏକା ପବନକେ ପାହାଡ଼େ ଯାଇ ଲୋ

ପିଟି ହୋଇଗଲା ଚୂରି ।

ମେଘ ଚାଲିଗଲା ମେଘର ବାଟେ ସେ,

ବତାସି ହୋଇଲା ଥିର;

ପଡ଼ିଗଲା ଖରା ନିର୍ମଳ ହୋଇ ଲୋ,

ପାଣି ହୁଏ କଳକଳ ।

ବାପା ପଚାରନ୍ତି ଖୋଜି ନାଉରିରେ,

“ଝିଅ ମୋର ଗଲା କାହିଁ ?”

ବୁଜି ଆଖି ଠିଆ ନାଉରି ନିଜେ ଲୋ,

ତୁଣ୍ଡ ତା ଫିଟଇ ନାହିଁ ।

ଚିଲିକା ପାଣିରେ ଦୋଳୁଛି ଲହରୀ,

ବୋହୁଛି ଶୀତଳ ବାଆ,

ସୋରି ସୋରି ଖରା ଢଳିଯାଉଛି ଲୋ,

ଖେଳୁଛି ସହସ୍ର ନାଆ ।

ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,

ମନେ କି ଅଛି ତା ଧୋକା ?

ପାଣିତଳେ ଛାଇ ବୁଲି ଯାଇଛି ଲୋ,

ଜାଇଟି ନାହିଁଛି ଏକା ।

ବାପା ଫେରି ଆସି ବୋଉଙ୍କ ଆଗରେ

କଥା ନ ପାରନ୍ତି କହି;

ଆର ଦିନ ପୁଣି ନାଉରି ଗଲା ଲୋ

ନାଆ ସେହି ବାଟେ ବାହି ।

କେତେ ଶ ବରଷ ହେଲାଣି ସେ ଦିନୁଁ

ଗଣି କି କହିବ କିଏ ?

ନାହିଁ ଅଛି ଆଉ ସେକାଳ କଥା ଲୋ,

ଜାଇ ରହିଅଛି ଜୀଏ ।

ବାଲୁଗାଆଁ କୂଳୁଁ ନାଆ ଗଲାବେଳେ

ପାରିକୁଦ ଗଡ଼ଠାକୁ,

ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ

ନ ଶୁଣାଯାଏ କାହାକୁ ?

ବରଷା ବତାସି ଚିଲିକାରେ ଆଉ

ହୁଏ ନାହିଁ ତେଡ଼େ ଭଳି;

ଆପଦେ ବିପଦେ ଜଣା ପଡ଼ଇ ଲୋ

ସାହା କିଏ ଥିଲା ପରି ।

ନାଉରି ବାପୁଡ଼ା ପାହାଡ଼ ବାଟେ ତା

ନାଆ ନେଇ ଗଲାବେଳେ,

କାମେ ଆପଣାର ଶୁଭ ମନାସି ଲୋ

ଜୁହାର କରଇ ଥରେ ।

ତୋଳିଲେ ପାହାଡ଼- ଶିଖେ କାଳେ ଭକ୍ତେ

ସୁନ୍ଦର ଦେଉଳଟିଏ;

ସେ ଦେଉଳେ ଲୁଣି ସମୁଦ୍ରେ ସତେ ଲୋ

ରହିବ ଦେବତା କିଏ ?

ସୂର୍ଯ୍ୟ ବୁଡ଼ିଗଲେ ନିଶବଦ ଯେବେ

ହୁଏ ସବୁ ସଞ୍ଜବେଳେ,

ଏକା ହୋଇ ଜାଇ, ଲୋକେ କହନ୍ତି ଲୋ

ବୁଲୁ ଯେ ଥାଏ ପାହାଡ଼େ ।

ନେତ୍ରୁ ବୋହୁଥାଏ ଲୁହ ଦୁଇ ଧାର,

ଶୁଖିଯାଇଥାଏ ମୁହଁ;

ହେଲେ, ଠାରି ହାତ କାନ୍ଦି, କାହାକୁ ଲୋ

ନିବର୍ତ୍ତାଇ କରେ ଥୟ ।

କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା,

କୋଟି କୋଟି ଦଣ୍ଡବତ;

ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ

‘କାଳିଜାଇ ପରବତ’ ।

Image

 

ତୃଷା

 

ତୃଷାରେ ଆକୁଳ ଅତି ଭ୍ରମେଁ ମୁଁ କାତରେ;

ତନୁ ଭାରା ଘେନି, ପାଦ ତଳେ ନାହିଁ ଚଳେ ।

ଅଧେ ଊର୍ଦ୍ଧ୍ୱେ ଚଉପାଶେ ଛିଡ଼ା ହୁଏ ଚାହିଁ;

କାହିଁ ହେଲେ ବିନ୍ଦୁ ନୀର ଦେଖି ନ ପାରଇ ।

ନ ଆସେ ଶୀତଳ ଧାରେ ବହି ସମୀରଣ,

ଶୂନ୍ୟ ଦିଶେ ନାହିଁ କାହିଁ ଉଡ଼େ ବିହଙ୍ଗମ ।

ଅନ୍ତିମେ ନିରାଶ ଆଶା ମରୀଚିକା-ଜଳ,

ତା ପୁଣି ଖେଳଇ ନାହିଁ ଦୂର ନଭତଳ ।

କୁଣ୍ଠିତ ଚରଣେ ଗୁରୁ ପରାଣ ଓଟାରି,

ଅତି କଷ୍ଟେ ଖଣ୍ଡେ ଦୂର ଯାଉଥାଏଁ ଚାଲି;

ପାଶେ ମୋ ପରାଣସଖା ଆକୁଳ ମଉନେ,

ପିପାସା ଦାରୁଣ ଶୁଷ୍କ କାଳିମା ବଦନେ ।

ଏସନ ସମୟେ, ମୋର ଏ ଦୁଃଖ ବିକଳେ,

ପିଲାଟିଏ ଠିଆ ତହିଁ ପାଖ ତରୁତଳେ ।

ନିମିଷକେ ପାସୋର ଯେ ଗଲା କେତେ କଥା;

ଅଧେ ଲିଭିଗଲା ମୋର ପିପାସାର ବ୍ୟଥା ।

ଉଭା ଯେତେବେଳେ ଯାଇ ତା ପ୍ରତିମା ପାଶେ,

ପାଣି ମାଗିବାକୁ ବାଣୀ ମୁଖେ ନାହିଁ ଆସେ !

ନିରେଖି ରୂପ ମୋ ଅବା କି ବୁଝିଲା ସେହୁ;

ହାତେ ଜଳପାତ୍ର ଘେନି ଧାଇଁଗଲା ତହୁଁ ।

ମୁଁ ଯେବେ ଭାଳଇଁ ଆହା କିପାଁ ଗଲା ଚାଲି ,

ଫେରି ଆସି ମୋ ପାଇଁ ସେ ଜଳ ଦେଲା ଢାଳି ।

ଜଳ ଧରି, ‘କି କରିବ’ ମନେ ଭାଳୁଥାଇଁ;

‘କିପାଁ ମୁଁ ପିଇବି’, ଏବେ ତିଳେ ଶୋଷ ନାହିଁ ।

‘ପିଅ’ ବୋଲି କହିଲାରୁ ପିଇଲଇଁ ଜଳ;

ଆହା ସେ ସୁଖର ଦିନ ମୋ ପ୍ରାଣ ଦୁଃଖର ।

ତା ବଦନେ ଢଳ ଢଳ ରହିଥାଏ ଚାହିଁ;

ପଦେ ପରାଣର କଥା ଫୁଟି ଉଠେ ନାହିଁ ।

ତାର ଦେଇଥିବା ଜଳୁଁ ଶତ ଗୁଣ ବଳି,

ପିଇଲି ନୀରବ ହୃଦେ ସେ ସ୍ୱର୍ଗମାଧୁରୀ;

ତା ବଦନେ ଦରହାସ, ତା ଅଙ୍ଗର ଠାଣି,

ଦୟା-ସ୍ନିଗ୍ଧ ତା ନୟନେ ବିମଳ ଚାହାଣୀ ।

ନୀରବେ ନିମେଷ ଦୁଇ ଠିଆ ହେଲି ତହିଁ,

ନୀରବ ପରାଣେ ପାଶୁଁ ଆସିଲି ପଳାଇ ।

ସଖାଙ୍କୁ କହିଲି ପଥେ ଯେତେ କଥା ତାର,

ଶତଗୁଣ ଖେଳୁଥାଏ ହୃଦେ ଆପାଣାର ।

ସେହି ପିଲା ସେହି ତରୁତଳେ ତହିଁ ଠିଆ;

ଏ କି ଆନ ଭାବେ ଏବେ ଉଛୁଳେ ମୋ ହିଆ !

ଏବେ ଯେବେ ଜଳେ ମୁହିଁ ତୃଷାରେ କାତର;

ସେ ପାଣି ମନ୍ଦିକେ ପ୍ରାଣ କରଇଁ ଶୀତଳ ।

ଭୀଷଣ ମରୁରେ, କିବା ସିନ୍ଧୁ ସଇକତେ,

ନିମିଷକେ ଦେଖା ଦିଏ ସେ ତରୁ ଗୁପତେ ।

ସେହି ପିଲା ଜଳଧାରା ମୁଖେ ଦିଏ ଢାଳି;

ଦରହାସେ ମୋ ନିରାଶା କ୍ଷଣକେ ନିବାରି ।

ସେହି ଦିନୁଁ କି ଭାବେ ବା ଭରା ଏ ଅନ୍ତର;

ପାଷାଣ ଶଇଳେ ଝରେ ପୀୟୂଷ ନିର୍ଝର ।

Image

 

ଜନ୍ମଦିନ

 

କୋଡ଼ିଏ ଉପରେ ପୁଣି ବରଷ ନଅଟି

ଏ ମୋର ଜୀବନୁ ଏବେ ଗଲା ଆଜି ବିତି ;

ସେ ସତ୍ୟ ମୁଁ ନ ଜାଣିଲି କିଛି;

ଜନମ ଅଧକେ ମୋର ବିହରିବା ସୁଖେ

ସାରିଦେଇ ତରତରେ, ମରଣ ଅଧକେ

ଆସି ଏବେ ଦୂରେ ବସିଛି ।

ଏତେଦିନେ ଜୀବନର ଭଲମନ୍ଦ କିବା ଫଳ,

ସୁଖ ଦୁଃଖ କିବା ମୋତେ କିଛି ଦିଶୁ ନାହିଁ;

କିପାଁ ଏ ଜନମ ମୋର ବୁଝି ନ ପାରଇ ।

ସେତେବେଳେ କଥାମାନ ରହିଛି ସେଭଳି;

ତିଳେ ହେଲେ ଏ ପରାଣ ଥାଆନ୍ତା ବଦଳି ।

ତହିଁ ବା ମାପି ମୋ ଏ ଜୀବନ ଟିକ,

ଲଭନ୍ତି ଏ ଦୁଃଖେ ଲବେ ହେଲେ ସୁଖ

ଯହିଁ ଦେଖେ କିଛି ପାଲଟ ଜୀବନେ;

ବାରେ ତାରେ ଲୋଡ଼ି ନ ଥିଲି ସ୍ୱପନେ ।

ଏ କି ଆହା ନିରାଶା ଅନ୍ତରେ,

ଧରନ୍ତେ ନିମିଷେ ସବୁ ଲିଭିଯାଏ କରେ ।

ଗଛ ପତ୍ରେ ଆଜି ନ ଦେଖଇ ଶିରୀ,

ସଲିଳ କଲ୍ଲୋଳେ ନାହିଁ କଳ କେଳି;

ପୂରୁବ ସରାଗେ ନ ବହେ ପବନ,

ପ୍ରଦୋଷ ଗଗନେ ନାହିଁ ସେ ମୋହନ;

ଫୁଲେ ବସୁ ନାହିଁ ତା ଚିହ୍ନା ଅଳିଟି,

ସେ କୋଇଲି ତାଳେ ଗାଉ ନାହିଁ ଗୀତି;

ସେ ଲତା ସେ ଗଛେ ଅଙ୍ଗ ଭଙ୍ଗ ଦେଇ,

ପ୍ରୀତି ତୁନି କଥା ଆଉ କହୁ ନାହିଁ;

ଯିଏ ଯହିଁ ଥିଲା ପରାଣ ଦୋସର,

ସେସବୁ ମୁଁ ତହିଁ ନ ଦେଖେ ଆବର ।

ଏ କି ମହା ନିରାଶା ଜୀବନେ,

ଦିନେ ହେଲେ ଲୋଡ଼ା କେବେ ଥାଆନ୍ତା ସ୍ୱପନେ ।

ଯିବାର ଜୀବନ ଯାହା ଚାଲି ତ ଗଲାଣି;

ଆଉ ଦିନେ ତା ସଙ୍ଗତେ ଯିବ କିପାଁ ପୁଣି ?

ଆଜି ଏ ଜନମଦିନେ, ଜୀବନ ସମ୍ୱଳ,

ନବଜନ୍ମ ବାରେକ ମୁଁ ପାଆନ୍ତି ଦୋସର ।

ସାଇ ପଡ଼ିଶାଏ ଆସି, ଟିକି ,ପିଲା ପାଖେ ବସି,

ତୋଷି ହେଉଥାନ୍ତେ କେତେ,

ପିଲାଟିର ସୁଖଶିରୀ ନିରେଖି ଉଷତେ ।

ଆଜିଠାରୁ ହେଉ ମୋର ପୁନର୍ଜନ୍ମ ଜୀବନର,

ବାଳୁତ ବୟସେ ପୁଣି ବିହରିବି ସୁଖେ;

ବାଳଇନ୍ଦୁ ଶିରୀ ଖେଳି ଯାଉଥିବ ମୁଖେ ।

ବନ ପରବତେ ଯାଇ, ଭ୍ରମିବି ସେଭଳି ମୁହିଁ,

କଣ୍ଟା ଖୁଞ୍ଚ ଗଳୁଥିବ ପାଦେ;

ଲବେ ହେଲେ ଖେଦ ତେବେ ଥିବ ନାହିଁ ହୃଦେ ।

ପତ୍ରେ, ଫୁଲେ ନୀରେ କିବା ସମୀର-ଲହରେ

ସେ ଯେ ପିଲାଦିନ ଶୋଭା ନାହିଁ ଆଉ ତିଳେ;

ସେହି କଥା ଦିବାନିଶି, ଝୁରି ହେଉଅଛି ବସି ।

ନୀଳ ନିରିମଳ ଚନ୍ଦ୍ରମା ଗଗନେ,

ଭାନୁ ଉଇଁବାର ପାହାନ୍ତି ମୋହନେ;

କାହିଁ ତ ନ ଦେଖେ ସେ ପୂରୁବ ଶିରୀ,

କାହିଁ ନାହିଁ ଆଉ ସେ ସରଗ କେଳି;

ଯାଇଛି ସତେ କି ଚିରଦିନ ପାଇଁ,

ଏ ମୋର ମରତେ ଫେରିବ ,ସେ ନାହିଁ ?

ଏ ସଂସାର ଘରୁ ଘେନି ମୋ ମେଳାଣି,

ଚାଲିଯିବା ବେଳେ ହେବ ଯେବେ ପୁଣି,

ଜନମେ ଯାହାକୁ ଦେଖିଥିଲି ସୁଖେ,

ପ୍ରାଣେ ପ୍ରାଣ ବାନ୍ଧି ରଖିଥିଲି ବୁକେ,

ତାକୁ କି ବାରେକ ଦେଖିବି ମୁଁ ନାହିଁ,

ଯିବାବେଳ କଥାପଦକର ପାଇଁ ?

ସେ ନିଧି ସଙ୍ଗତେ ଯେବେ ଭେଟନ୍ତି ଦୋସର,

ଚିର ଶଇଶବେ ଦିନ ବିତିଯାନ୍ତା ମୋର ।

ମରନ୍ତି ପୁଲକେ ପୁଣି

ଯେଭଳିଟି ଥିଲି ମୁଁ ଜନମି ।

Image

 

ନିମିଷକ ଦେଖା

 

ନିମିଷକ ଦେଖା ଯଦି ହେ ଏବେ ଦିଅନ୍ତ ଆସି,

ବୁକୁରେ ମୁଁ ତୋଳି ଧରନ୍ତି, ଦୂର ବିଦେଶବାସି ।

ଚାଲି ଯେବେ ଗଲ ତୁରିତେ ଶେଷ ମେଲାଣି ଘେନି,

ନିମିଷେ ଅନାଇଁ ରହିଲି, ଫେଇ ନୟନ ବେନି ।

ଏ ଜୀବନ ଦେଖା ସେତିକି, ହେଲା ନାହିଁ ପରତେ;

ତୁନି ହୋଇ ବସି ରହିଲା, କି ଯେ ଭାବିଲି ଚିତ୍ତେ ।

ପଦେ ହେଲେ ବାଣୀ ବଦନୁଁ ନାହିଁ ସ୍ଫୁରିଲା ମୋର,

ମେଲାଣି ଟିକକ ଘେନି ମୁଁ ହୋଇଥାନ୍ତି ଅନ୍ତର ।

କ୍ଷଣକ ଲାଗି ବା ଯେବେ ହେ ଅବତରି ମରତେ,

କ୍ଷଣକର କ୍ଷୀଣ ବନ୍ଧନ ବାନ୍ଧିଥିଲ ଜଗତେ;

କ୍ଷଣିକ ସମ୍ପଦ ବରଣେ ଯଦି ଥିଲା ବା ଫୁଟି,

ପାରିଥାନ୍ତ ରହି ଅଧିକ ଆଉ କ୍ଷଣେ କି ଏଥି ?

କେତେ ଫୁଲ ଡାଳୁଁ ନ ପଡ଼େ ଝଡ଼ି କୁସୁମବନେ,

ଏଭଳି ଫୁଲ କି ମଉଳି ଝଡ଼ି ପଡ଼ିଛି ଦିନେ ?

କେତେ ଅବା ଆଶା ଅସୀମ କ୍ଷୁଦ୍ର ହୃଦୟେ ପୋଷି,

ଏତେ ଦୂର ଏହି ବିଦେଶେ କାହୁଁ ଥିଲ ହେ ଆସି ?

କେତେ ବନ କେତେ ପାହାଡ଼ ଲଙ୍ଘି ବିଜନପଥେ,

ମିଳିଲ ଏ ନବରାଇଜେ କେଡ଼େ ହରଷଚିତ୍ତେ ।

ସେ ଆଶାରୁ କଣିକାଏ ବା ସେହି ହରଷୁଁ ତିଳେ

ରଖି ହେଲେ ଯାଇଥାଆନ୍ତ ଚାଲିଯିବାର ବେଳେ !

କିବା ଶୋହାଶିରୀ ଅଧିକ ଥିଲ ଏ ବନେ ଦେଖି ,

ନ ତେଜିପାରି ଯେ ମୋହନ ଆସି ମିଳିଲ ନିକି !

ଦିନେ ହେଲେ ବୁଲିଥାଆନ୍ତ ତରୁଲତାର ମେଳେ,

ଅଙ୍ଗଶ୍ରମ ଫେଡ଼ି ଛାଇରେ ବସିଥାଆନ୍ତ ବାରେ;

ଏ ନଈ ପୋଖରୀ ସଲିଳେ ସୁଖେ ପଖାଳି ତନୁ,

କି ଭରା ପରାଣେ ଥିଲା ହେ ପୋଛିଥାଆନ୍ତ ମନୁ;

ନିମିଷକ ବିହି ନିଦେଶେ ସବୁ ଭାଙ୍ଗିଲା କାହିଁ;

ଯେତେ ଆଶା ଥିଲା ହୃଦୟେ, ଲବେ ଫୁଟିଲା ନାହିଁ ।

ରୋଗଶେଯ ପାଶେ ବାବୁ ହେ, ଚାହିଁଥିଲି ମୁଁ ବସି,

କ୍ଷଣୁ କ୍ଷଣେ ପୁଣି ବଦନ ଆନ ଆସିଲା ଦିଶି ।

ବନ୍ଧୁଗଣ ପାଶୁଁ ନିରାଶେ ହୋଇଗଲେ ଅନ୍ତର,

ଯେତେବେଳେ ଜଣା ପଡ଼ି ସେ ଗଲା ଅନ୍ତିମ ବେଳ ।

ମୁହିଁ ପାଶେ ବସି ରହିଲି ଏଡ଼େ ନିଠୁର ପରା,

ନିରେଖିଲି ଉଡ଼ିଯିବାର ଶେଷ ପବନଧାରା ।

ନିଜ ହାତେ ଘରୁଁ ତୁରିତେ କରିଦେଲି ଅନ୍ତର,

ନିଜ କାନ୍ଧେ ବହିନେଲି ମୁଁ କାହିଁ ବନଭିତର,

ନିଜେ ମୁହିଁ ଚିତା ଅନଳ ଦେଲି ଯତନେ ଜାଳି,

ଯେହୁ ତୁମ ଜଳା ଚିତାରେ ଦିନେ ଥାଆନ୍ତା ଜଳି ।

ବନ୍ଧୁଗଣମେଳେ, ବାବୁ ହେ, ନେଲି ମଉନେ ବହି;

ଫେରିଲି ଯା, ପ୍ରାଣପ୍ରାତିମା କାହିଁ ବିସର୍ଜିଦେଇ ।

ସେ ସକଳ କଥା ଏବେ ମୁଁ ନିତି ହେଉଛି ଭାଳି;

ଆଉ କ୍ଷଣେ ହେଲେ ତୁମରି ସେବା ଥାଆନ୍ତି କରି ।

ପିକ ତରୁଡାଳେ ଗାଇଲେ, ନଭେ ଉଇଁଲେ ଶଶୀ,

ପତ୍ରଗହଳିରୁ ଅନାଇଁ ଫୁଲ ଫୁଟିଲେ ହସି,

ପିଲାମାନେ ମିଳି ସରାଗେ ଖେଳି ବୁଲିବା ବେଳେ,

ତୁମ ସେ ଅନ୍ତିମ ମୂରତି ଆସି ଢଳେ ମୋ ଡୋଳେ ।

ଏ ସକଳେ ତୁମେ, ବାବୁ ହେ, କଲେ ଆଜି ବିହାର,

କେତେମନ୍ତେ ସୁଖ ସମ୍ପଦ ବଢ଼ୁ ନ ଥାନ୍ତା ତାର ।

ନିଶୀଥ ଅନ୍ଧାରେ ଗରଜି ଯେବେ ଆସଇ ନିଶି,

ତୁମ ଆଶେ ଯାମେ ଯାମେ ମୁଁ ରହେଁ ମଉନେ ବସି ।

କି ଦୂର ଅଜଣା ରାଇଜେ, ବାବୁ, ରହିଲ ଯାଇ;

ନିମିଷକ ଦେଖା ବାହୁଡ଼ି ଆଉ ଦେଲ ଯେ ନାହିଁ ।

 

*

ଦୂର ଗଡ଼ଜାତ ଅଞ୍ଚଳର ଜଣେ ଛାତ୍ର ସତ୍ୟବାଦୀ ବିଦ୍ୟାପୀଠରେ ଅଧ୍ୟୟନ କରିବାକୁ ଆସିଥିଲେ । ଆସିବାର ଅଳ୍ପ ଦିନ ପରେ ହଇଜାରେ ତାଙ୍କର ମୃତ୍ୟୁ ହେଲା । କବି ସେତେବେଳେ ସେଠାରେ ଶିକ୍ଷକ ଥିଲେ ।

Image

 

ଭିକ୍ଷା

 

ଭୋକେ ତା ଜଳୁଛି ପେଟ; ବୁଲୁଛି ଭିଖାରି,

ଚିରାକନା ଖଣ୍ଡିକେ ସେ ମେଖଳ ଆବରି ।

ବେନି ନେତ୍ରୁ ଝରୁଅଛି ବେନି ଅଶ୍ରୁଧାର;

କପାଳେ କୁଞ୍ଚିତ ମହା ସନ୍ତାପର ଭାର ।

କହୁଛି ଭିଖାରି, “ହାତେ ଦେବ କେ ମୁଠିଏ,

ଦୁଇ ଦିନେ ଚୁଲି ମୋର ଜଳଇ ଓଳିଏ ।”

ଦୁଇ ଦିନେ ଓଳିଟାକ ଦାନା ଖଞ୍ଜିବାକୁ

କିଏ ଜାଣେ ହରିଙ୍କର ବରାଦ କାହାକୁ ।

ଗ୍ରାମମଧ୍ୟେ ଧନିଜନ କୁବେର ଉଆସ,

ସାକ୍ଷାତ ଲକ୍ଷ୍ମୀ ସେ ତହିଁ କରିଛନ୍ତି ବାସ;

ଐଶ୍ୱର୍ଯ୍ୟ ସମ୍ପଦେ ପୁରୀ ପଡ଼ୁଛି ଉଛୁଳି,

ହୀରା, ନୀଳା, ମୋତି, ମଣି ହେବ ନାହିଁ କଳି ।

ସୁବର୍ଣ୍ଣ ଫଳକେ ତହିଁ ମାଣିକ୍ୟ ଅକ୍ଷରେ

ଲେଖାଅଛି, “ଆସ ଯେତେ ଦୀନ ଦୁଃଖୀ ନରେ !

ରାତିକ ବିତାଇ ଏଥି ଅତୁଳ ସମ୍ପଦେ

ଧନରତ୍ନ ଘେନି ପୁଣି ବାହୁଡ଼ିବ ମୁଦେ ।”

ମୁହୂର୍ତ୍ତକ ଆଖି ତହିଁ ପକାଇ ଭିଖାରି

ଭିଖ ମାଗି ମାଗି ବାଟେ ଗଲା ତାର ଚାଲି ।

ଗାଆଁ ମୁଣ୍ଡେ ଦରିଦ୍ର ସେ ଅରକ୍ଷିତ ଏକ

ଅଧପେଟେ ହେବା ଭଳି ଆଣିଥିଲା ଭିଖ ।

ଡାକିଲା, ‘ଆସ, ରେ ଭାଇ, ନୁହ ତୁ ଅଥୟେ;

ଖାଇବା ରେ ଏ ମୁଠିକ ବାଣ୍ଟି ଆଜି ଦିହେଁ ।”

ବେନି ଜନେ ବଣ୍ଟାବଣ୍ଟି ହୋଇ ସେ ମୁଠିକ

ଖାଇଲେ, ନିବାରି ପେଟୁ ଅଧାଅଧି ଭୋଖ;

ଶୋଇଲେ, ସେ ଗଛଛାଇତଳ ଆଶ୍ରା କରି,

ଆର ଦିନ ଗଲେ ପୁଣି କାର୍ଯ୍ୟ ଅନୁସରି ।

Image

 

ବିଧବା

 

କିଏ କହେ, ବିଧାବା ଗୋ, ଚିର ଦୁଃଖୀ ହୋଇ

ଏ ବିଶ୍ୱ ସମ୍ପଦ ମଧ୍ୟେ ଅଛ ତୁମେ ରହି;

ହରାଇ ଦେଇଛ ଯାହା ପରାଣର ଧନ,

ପଥ ଭିଖାରିଣୀ ଦୁଃଖେ ଯାପୁଛ ଜୀବନ ?

ଏ ଜଗତେ ବିଶ୍ୱଶିରୀ ଅଛି କେତେ ପୂରି

ଅବନୀ ଗଗନେ, ହେବ କଳନା କି କରି ?

ଏ ଶିରୀ ସକଳ ପୁଣି ଜିଣି ଅବହେଳେ,

ତୁମ ନିଧି, ବିଧବା ଗୋ, ବିରାଜେ ଭୂତଳେ ।

ହରାଇ ଦେଇଛ ସତ ପରାଣର ଧନ,

ମରତ ସମ୍ଭୋଗେ ଦିନେ ନୋହିଲ ଭାଜନ ।

ଏ ଯେ କିନ୍ତୁ ବସିବାର ନିରତେ ଅନାଇଁ,

ଜପିବାର ସେ ମନ୍ତର ହୃଦପୀଠେ ବହି

ଏ ଯେଉଁ ସାଧନା ନୀତି କଠିଣ ତିୟାଗ,

ରଖିବା ପରାଣେ ଜାଳି ପ୍ରୀତି-ପୂତ ଯାଗ;–

କି ଅଛି ଜଗତେ ୟାର ହେବ ସରିସମ ?

ଏ ଦୀନ ଦଇନେ ତୁମେ ତ୍ରିଦିବଭୂଷଣ ।

ଭାଳୁଥାଅ, ବିଧବା ହେ, ଢାଳୁଥାଅ ପ୍ରୀତି;

ଅନନ୍ତ ଏ ବିତ୍ତେ ଜନ୍ମ ଯାଉ ତବ ବିତି ।

Image

 

ଯୁଗଳ

 

ପାଞ୍ଚ ବରଷ ତା ପୂରିଛି କି ନାହିଁ,

ପୁଲକେ ଯାଉଛି ଚାଲି;

ହସହସେ ମୁଖ ଫାଟି ପଡ଼ୁଅଛି ,

ଅମୃତ ବାରିଧି ଢାଳି ।

ଭଲ କରି ଶିଖି ନାହିଁ ଚାଲିବାର,

ଢଳି ସେ ପିଅର-କୋଳେ;

ଉଦାସେ ପିଲାଟି ଯାଏ କାହିଁ ଆଜି

ମନ ଅନୁରାଗ ଭୋଳେ ?

ସାଙ୍ଗ ସାଥୀ କାହିଁ ନାହାନ୍ତି ସଙ୍ଗତେ,

ନାହିଁ ଜଗୁଆଳ ଜନ;

ଏକା ସେ କିଭଳି ଦେଇଛନ୍ତି ଛାଡ଼ି

ପରାଣଦୁର୍ଲ୍ଲଭ ଧନ ?

ଚାଲି ଚାଲି ପଥେ କୋମଳ ପୟରେ,

ପଲକେ ଶରମଭରେ,

ପାଦେ ପାଦେ ବାନ୍ଧି, ପିଲାଟି ଆହା ସେ

ପଡ଼ିଗଲା ଭୂଇଁତଳେ ।

ଖଣ୍ଡଦୂରେ ତହିଁ ଖେଳୁଥିଲେ ସୁଖେ

ହସ କଉତୁକେ ମାତି,

ବାଳକ ବାଳିକା ସମ ବୟସର,

ବଦନ ସମ୍ପଦେ ଭାତି ।

ବରଷ ପାଞ୍ଚ ତା ମୃଦୁ ଅପଘନେ

ପୂରିଛି କି ଅବା ନାହିଁ,

ନିରେଖି ନିମିଷେ ଆସିଲା ବାଳିକା,

କନକ ଚରଣେ ଧାଇଁ ।

ମୃଦୁଳ ପରଶେ ଘେନି ବାହୁ ଯୁଗ,

ସରଣୀ ଶେଯୁଁ ତା ତୋଳି,

ସୋହାଗେ ବାଳିକା ନେଲା ଆଲିଙ୍ଗନେ,

‘ଆହା ମୋ କୁନିଟି’ ବୋଲି ।

ଆପଣାର ଟିକି ବସନ ଅଞ୍ଚଳେ

ଧୂଳି ଅଙ୍ଗୁ ଝାଡ଼ି ତାର,

‘ତୁନି ହୁଅ’ କହି, ପୋଛିଲା ଯତନେ

ନୟନ-ଲୋତକଧାର ।

ମଉନେ ପିଲାଟି ଉଠି ଭୂଇଁ ତଳୁ

ଉଦାସେ ହୋଇଲା ଠିଆ;

ଅଙ୍ଗ ପୀଡ଼ା ଶିଶୁ ସରମ ବିସୋରି,

ଅଧରେ ଫୁଟେ କି ହିଆ ।

ବାଳକ ବାଳିକା ଯୁଗଳ ତନୁ ସେ

ଏକଇ ପରାଣେ ଢଳି,

ସାଇପିଲା ମେଳେ ଖେଳିଲେ ଉଷତେ

ସୁର ପାରିଜାତ ବଳି ।

Image

 

ବିହଗ ପରାଣ ଘେନା

 

“ଦେଖୁଛ ତ ଦୂରେ କନକ ନଗରୀ

ମାଣିକ୍ୟ ଭୂଷଣେ ଭରା;

‘ଆ ଆ ଆ ଆ, ପିକ’– ଶୁଣୁଅଛୁ ନିତି

ସୋହାଗ ବଚନଧାରା ।

ଚାଲି କି ତୁ ସତେ ଯିବୁ, ରେ କୋଇଲି,

ଏ ବନ ବିତାନ ଛାଡ଼ି;

ଏ ତରୁଡାଳୁଁ ତୋ ନ ଢାଳିବୁ ଆଉ

ଅମୃତ ଅଲକ୍ଷ୍ୟ ଶିରୀ ?

ମଣୁ କି ମରତେ ଯାବତ ସମ୍ପଦ

ମୋର ଏ ଏକଇ ତରୁ,

ତେଜି ଯା ଗହଳ ଉଡ଼ିଗଲେ ବାରେ

ଭେଟିବୁ ଭୀଷଣ ମରୁ ?

ରହିଛି, ଦେଖ ରେ, ଫୁଲ ଫଳ କେତେ

ପୁତ୍ର କିଶଳୟ ଡାଳେ,

ବହିଛି ଯା ବନେ ପ୍ରତି ତରୁଲତା

ସେନେହ ସୋହାଗ ଭାରେ ।

ରଖିଛି ତୋପାଇଁ ଲତିକା ନିକୁଞ୍ଜ

ସଜାଇ ମୋହନ ବେଶେ,

ନିଶି-ଶଶିସ୍ମିତ ପୀୟୂଷେ ପଖାଳି,

ଅରୁଣ-କନକ-ଭାସେ ।

ବହୁଛି ସମୀର, ମୃଦୁ ଆବର୍ତ୍ତନେ

ଖେଳାଇ କାନନଭୂମି;

ଦେଶେ ଦେଶେ ମଧୁ ବିତରି ଯାଉଛି,

କୁସୁମ କେଶର ଘେନି ।

ବିସୋରି ଯେ ମୋଦେ ନିଜ ବଇଭବ

ଅପର ବିହଗ କେତେ,

ଶୁଆ,ସାରୀ, ପିକ ଆସିବେ ଏ ଠାବେ

ବନେ ବନେ ଛନ୍ତି ଯେତେ ।

ଦୂରେ ମନ୍ଦାକିନୀ ପେଷିବ ନିକର

ସଲିଳ ବିମଳ ଧାରା;

ହିମାଚଳ-ଶିରୁଁ ହିମ ଶୁଭ୍ର ଚୂଳ

ଓହ୍ଲାଇ ଆସିବ ପରା ।

ମହୋଦଧି-ବକ୍ଷ ଫେନିଳ ଲହରୀ

ଖେଳିବ ଏ ବନେ ଆସି;

କୁରଗ କେଶରୀ ସୋଦର ସୋହାଗେ

ସୁଖେ ବିହରିବେ ହସି ।

ଏ ତହୁଁ ବଳି କି ଅଛଇ ସମ୍ପଦ

କନକ ରଜତ ବାସେ,

ଯାହା ଲାଗି, ପିକ, ଭାଳୁଛି ହୃଦେ ତୁ

ବରଜି ଯିବୁ ସେ ଦେଶେ ?

ରହୁ ଏଥି ରହୁ ବନର କୋଇଲି,

ପୁଲକେ ପରାଣ ବିହି;

ଏ ସରିସମାନେ ଅବନୀ ଆକାଶେ

କିବା ତୁ ଲଭିବୁ କାହିଁ ?”

“ଯାଇ ନାହିଁ, ଯେବେ ଯିବାର ଥିଲା ମୋ

ମୁକତ ମୋହନ ପଥ;

ଏ ତରୁ ଶାଖାଟି ଲୋଡ଼ି ତ ଆସିଛି

ମୁଁ ଦୂର ଅପରିଚିତ ।

ହାତେ ଧରି ଯେବେ ସୁବର୍ଣ୍ଣ ପିଞ୍ଜର

ନୃପତି-ତନୟ ମଣି

ରାଇଲେ ଆଦରେ ଏଡ଼ି ସେ ସୋହାଗେ,

ଆଶ୍ରିଛି ଏ ବନଭୂମି ।

ଏ ତରୁଟି ବିନେ ନ ଜାଣେଁ ଆନ ମୁଁ,

ନିବସି ନିରତେ ଏଥି;

ମରୁରୁ ମରୁ ସେ ହେଉ ବନଦେଶ,

ବିକଟୁଁ ବିକଟ ଅତି ।

ନ ବହୁ ସମୀର, ଗୁଣୁ ଗୁଣୁ ଅଳି

ବିସୋରୁ ଗୁଞ୍ଜିବା ତାର;

ରବି, ଶଶୀ, ତାରା ଲୁଚନ୍ତୁ ଗଗନେ,

କି ତହିଁ ଅଛଇ ମୋର ?

ଏ ତରୁ ଶାଖାଟି ମୋ ବିଶ୍ୱସାରା ହେ,

ମୋ ଜୀବ ଜୀବନ୍ତ–ନିଧି;

ଯେତେ ଦିନ ଏଥି ଗାଉଥିବି ବସି,

ମୋ ଲକ୍ଷ୍ୟ ପାରିବି ସାଧି ।

ସହିବି ବରଷା, ପବନ ପ୍ରବାହ,

ତପନ-ତପତ-ତେଜ;

ବରଷା ଜୀବନେ ନେଇଛି ବାରେକ,

ତାତହୁଁ ବଳି କି ନିଜ ?

ଡାଳୁଁ ଡାଳେ ଉଡ଼ି, ପଲ୍ଲବ ଗହଳେ

କୋଇଲି ଉଷତ ସିନା;

କନକ ଭୂଷଣେ କିବା ଅଛି ତାର

ବିହଗ ପରାଣ ଘେନା ?”

Image

 

ନିଦାଘ ସରସୀ

 

ଶୁଖିଛି ମୋ ସାରା ସୁନୀଳ ଜଳଧି,

ଆତପେ ହୋଇଛି ଲୀନ;

ବିଲ ପଦା ମାଳେ ମିଶି ସେ ମୋ ତନୁ

ଆଜି ଆହା କେଡ଼େ ହୀନ !

ଜଳ-ଦରପଣେ ମୁକ୍ତା ପ୍ରତିଫଳେ

ସମୀରେ ଖେଳାଇ ଶିର,

ରବି-ହେମକର- ଅଲକ୍ଷ୍ୟ-ପରଶେ

ବିସୋରି ଜୀବନ ଭାର,

କମଳ-କଳିଟି ବିକଶୁ ଯେ ଥିଲା

ଅବନୀ ଗଗନ ମୋହି,

ଜୀବନ-ପ୍ରଭାତେ ଚିତା-ତଳପେ ତା

ମଉନେ ପଡ଼ିଛି ଶୋଇ ।

ବାଟର ବାଟୋଇ ବାଟେ ଚାଲିଯାଏ

ଉଦାସ ଚରଣେ ଆଜି;

ନିମିଷେ କି ଚିତ୍ତେ ଭାଳେ ମୋ ବିଗତ

ସୋହାଗ-ସମ୍ପଦରାଜି ?

କି ଅଛି ମୋର ଯେ ପଖାଳିଦେବି ତା

ଧୂଳି-ବିଲେପିତ ପାଦ;

ମୋ ସୁଧା-କଣିକା ଅରପି ହରିବି

ମନୁଁ ମନ-ଅବସାଦ ?

ନିଶି-ଶଶିସ୍ମିତେ ହସନ୍ତେ ଯା କୋଳେ

ବଦନ ରଜତ ହାସେ

କୋଟି କଇଁ କଳି, ତା ତନୁ ପୂରିଛି

ବନ କଣ୍ଟା ବୁଦା ଘାସେ ।

ଯେତେ ମୋ ସମ୍ପଦ ସରିଛି ସକଳ,

ଋତୁ ଆବର୍ତ୍ତନେ ବୁଲି !

ହୀନହୀନ ବେଶେ       ଦିବା ନିଶି ନିତି

ପଡ଼ି ମୁଁ ହେଉଛି ଘାରି ।

ଜଳବେଣୀ-ବକ୍ଷେ ସନ୍ତରନ୍ତେ ସୁଖେ

ଶତ ଜଳଚର ଯହିଁ,

ଶୃଗାଳ କୁକୁର ବିକଟ ନିନାଦେ

ବୁଲନ୍ତି କ୍ଷୁଧାର୍ତ୍ତ ହୋଇ ।

ଆଉ କିପାଁ ନଭେ, ନବୀନ ଜଳଦ,

ଢାଳୁଛ ସଲିଳଧାରା;

ନିଠୁର ସେନେହେ ତିନ୍ତାଉଛ ମିଛେ,

ଏ ତନୁ-ତାପିତ ଭାରା ?

ଅଧେ ମୁଁ ଜଳିଛି ଯେ ଭୀମ ଆତପେ,

ପୂରାଇ ଜାଳିବ ତହିଁ;

ଘନ ବାରିଧାରା, ତଟିନୀ-ପ୍ରବାହେ

ଆଉ ତ ଭୁଲିବି ନାହିଁ ।

ଗିରିଶିଳା-ଶିରେ ବରଷ ହରଷେ,

ସାଗର-ସିକତା-ଶେଯେ,

ମୋ ଭଳି ସହସ୍ର ନିରେଖ ଆଶ୍ରିତେ

ବୁଡ଼ାଇ ବିଷାଦ-ଲାଜେ ।

Image

 

କାଶୀ ଯିବ ?

 

କାଶୀ ଯିବ ? ସେ ତ ବହୁ ଦୂର ପଥ,

ନଦୀ ଗିରି ବନ ବିଷମ ପାରେ;

ଏ କ୍ଷୀଣ ଚରଣେ କିପରି, ଗୋ ବୁଢ଼ି !

ଚାଲି ଯିବ, ମନେ ପାଞ୍ଚିଛ ହେଲେ ?”

“ଘର ମୋର, ବାବୁ ପ୍ରୟାଗ ରାଇଜେ,

ମିଳନ୍ତି ଜାହ୍ନବୀ ଯମୁନା ଯହିଁ;

ଏକାଟି ଦୁଃଖୀ ମୁଁ ରହେ ମୋ କୁଟୀରେ,

ପୁଅ ପତି ମୋର କେହିଟି ନାହିଁ ।

ପୁଅ ପତି ? ପତି ପରାଣଦେବତା

ବର୍ଷବ୍ୟାପୀ ବ୍ୟାଧି ଭୋଗିଲେ ଆହା !

କି କହିବି, ବାବୁ, ସେ ଦୁଃଖ କଷଣ,

ମରଣ-ଶେଯେ ସେ କେ ଥିଲା ସାହା ?

ପରାଣୁ ଅଥିକ କରିଥିଲେ ମୋରେ

ସମ୍ପାଦି ନିମିଷେ ପାରିଲି ନାହିଁ;

ଏହି ହାତେ ଘରୁ କରି ମୁଁ ଅନ୍ତର,

ଚିତାନଳେ ତନୁ ଥାପିଲି ନେଇ ।

ପଶି ମୁଁ ଥାଅନ୍ତି ନିଜେ ସେ ଅନଳେ;

ଚିତା-ତଳ୍ପେ ଶୋଇ ପତିଙ୍କ ତୁଲେ,

ନର ପ୍ରୀତି ପାଶେ ଏ ମର ବନ୍ଧନ

କରିଥାନ୍ତି ଚିର ସରଗପୁରେ ।

ନୋହିଲା ନୋହିଲା, ଶିଶୁ ତନୟର

ବାଳୁତ-ଉଦାସ ବଦନ ହେରି,

ଅଧେ ଜୀବ ମାତ୍ର ବହି ଏ ହୃଦୟେ,

କୁଟୀରେ ଆବର ଆସିଲା ଫେରି ।

ପରାଣପତିଙ୍କ ପ୍ରୀତି-ପ୍ରତିନିଧି

ପୁଅଟିରେ ମୋର ଘେନି ମୁଁ କୋଳେ,

ରମଣୀ ବିଚ୍ଛେଦ ଭାରା ତେଜି ମନୁ,

ଶୋକ-ସ୍ମୃତିଟିକି ପୋଛିଲି ଧୀରେ ।

ପୁଅଟିକି ହେଲା ଅଠର ବରଷ,

ଉପମା ଅବନୀମଣ୍ଡଳେ କାହିଁ ?

ଯେତେ ଦେଖିଲେ ମୋ ନ ପୂରେ ପିପାସା-

‘ଧନ, ଏ ଜୀବନ ତୋହରି ପାଇଁ ।’

କେତେ ଦିନେ ଦେଶେ ବଇରୀ ସଇନେ

ଆସିଲେ ରାଇଜ ଜିଣିବା ଆଶେ;

ମନେ ପଡ଼ିଗଲେ ରୋମାଞ୍ଚ ହେଉଛି,

ଏ ଜରା ପରାଣ କମ୍ପୁଛି ତ୍ରାସେ ।

ବାଲି ଧୂଳି ମାଟି ପଙ୍କେ ସିନା ଗଢ଼ା,

ସରଗୁଁ ବଡ଼ ଏ ଜନମଭୂଇଁ;

କିପରି ଦେଖିବି ହରିନେବ ପର,

ଏ ପିଣ୍ଡେ, ବାବୁ ରେ, ପରାଣ ଥାଇ ?

ମୋ ଦୁଃଖୀ ହୃଦର ଅମୂଲ୍ୟ ରତନ

ପୁଅଟିରେ ତହୁଁ ରାଇଲି ପାଶେ;

କରଯୁଗେ ଘେନି ଚୁମ୍ବିଲି ବଦନ ,

ଭାଷିଲି ଆହା କି ନିଠୁର ଭାଷେ,–

‘ବରରୀ ସଇନେ ତୋର ଏ ରାଇଜେ

କେତେ ଅନାଚାର କରନ୍ତି ଆସି;

ନ ଯିବୁ, ଧନ, କି ଗଉରବେ ରଣେ,

ରିପୁକୁଳ ନାହିଁ ଆସିବୁ ନାଶି ?’

‘ଯାଉଛି, ମାଆ ଲୋ, କର ଆଶୀର୍ବାଦ,

ବଇରୀ ସଇନ ଜିଣିବା ପାଇଁ ;

ହାତେ ଧନୁଶର ଢାଲ ତରବାର

ଦେଇ, ତାରେ ତ୍ୱରା ପେଷିଲି ମୁହିଁ ।

ସେହି ବେଶଟି ଯେ ମୋ ଧନମାଳୀର

ଦେଖି ମୁଁ ନୟନେ ଦେଲି ମେଲାଣି;

ଆଉ ଏ ଜୀବନେ ଶୟନେ ସ୍ୱପନେ

ସେ ବଦନ ନାହିଁ ଦେଖିଲି ପୁଣି ।

ସେହି ଦିନୁଁ, ବାବୁ, ତେଜିଛି କୁଟୀର,

ବୁଲୁଛି ରାଇଜୁ ରାଇଜେ ଯାଇ;

କେତେ ତ ଦେଖୁଛି ଯୁବା, ଜରାଜୀର୍ଣ୍ଣ,

ମୋ ପୁଅ ପତିଙ୍କି ଭେଟିଲି କାହିଁ ?

ସାକ୍ଷୀ ଏ ଅଛନ୍ତି ସାକ୍ଷୀ-ଗୋପୀନାଥ,

ବତାଇ, ବାବୁ ରେ, ଦିଅ ମୋ ବାଟ;

ଖୋଜିଲିଣି ଯେତେ, ଖୋଜିବି ଆହୁରି,

ଜୀବନେ ଯାବତ ନୋହିଛି ଭେଟ ।

ତୋହ ଭଳି ଯେତେ ଦେଖିବି ଯେ ଠାବେ,

ବଖାଣିବି ମୋର ହୃଦୟେ ଜ୍ୱାଳା ;

ଏ ଦୀର୍ଘ ନିଶ୍ୱାସ ସଞ୍ଚି ଦିନୁ ଦିନ,

ଅଧିକୁ ଅଧିକ କରିବି ଭାରା ।”

“ଚାଲ, ମା, ସଙ୍ଗତେ ଯିବି ମୁହିଁ ତୋର,

କାଶୀ କପିଳାସେ ବୁଲିବି ଯାଇ;

ଯେ ଭାରା ବହିଛୁ ଏକା ତୁ ପରାଣେ,

ଅଧେ ତହୁଁ ଏବେ ବହିଲି ମୁହିଁ ।

ବେନି ଜନେ ଏବେ ଏକାଟି ସିନା ତୁ

ଖୋଜୁଛୁ ବୋଲି ଏ ବିଷମ ଜ୍ୱାଳା;

ବେନି ଜନେ ଯେବେ ଖୋଜିବା ଜଣକୁ,

ସୁଖେ ବହିବା ଏ ବିଷାଦ-ଭାରା ।”

“କହ ନା, ବାବୁ ରେ, କହ ନା ଏଭଳି,

ଥାନ କି ଅଛଇ ଏ ହୃଦ-କୋଣେ,

ଆଉ ଏକ ସ୍ମୃତି ସମ ସୁଖ ଦୁଃଖେ

ପରାଣେ ବହିବା ପାଇଁ କି ଦିନେ ?

ଯେତେ ମୁଁ ଜୀବନେ କରୁଛି ସେନେହ,

ପୋଛି ଯେ ଜୀବନୁଁ ଦେଉଛି ସବୁ;

ମନେ ତ ନୋହୁଛି କେତେ ଯୁଗେ, ଆଜି

କିପାଁ ତୁ ଏ କଥା କହିଲୁ, ବାବୁ !

ଉଇଁବ ତୁରିତେ ନଭେ ଦିନମଣି,

ଢାଳିବ ଅନଳୁ ବଳି ତପତି;

ଜଳି ମୁଁ ଚାଲିବି, କହିଦିଅ ବାଟ,

ବାସେ ତୋ, ବାବୁ ରେ , ରହ ତୁ ଏଥି ।”

Image

 

ପ୍ରତ୍ୟାଖ୍ୟାନ

 

ଏକାଟି କଇଁ ମୁଁ ଫୁଟି ସରୋବରେ

ଯାପିଲି ଯାମିନୀ ସାରା;

ଉଷା ରବିକରେ ମୁଦିଲି ନୟନ

ବିସୋରି ଜୀବନଭାରା ।

ତପନ-ପାବକେ ଯାଇଥିଲି ଜଳି

ପରାଣ-ସୋହାଗ ତେଜି ,

ବାସନା-ଶ୍ମଶାନେ ସଜାଡ଼ି ଉଦାସେ

ପାଖୁଡ଼ା କେଶରାଜି ।

ଫୁଟିଲା ପୁଲକେ କମଳ-କଳିକା,

ଢଳିଲା ସରସୀ-ନୀରେ,

ସମୀର-ହିଲ୍ଲୋଳେ ଖେଳିଲା ସରାଗେ;

ଦେଖିଲେ ସୁମନେ ତୀରେ ।

ମୁହିଁ ସେତେବେଳେ ଲୋଡ଼ି ତ ନ ଥିଲି,

ଉଠିବି ମୋ ନିଦ୍ରା ଭାଙ୍ଗି;

ଭାବି ତ ନ ଥିଲି, ମୋରେ କେ ଚାହିଁଛି,

ମୁହିଁ ଅବା କାହା ଲାଗି ।

ତୁମେ କିପାଁ ଏବେ ଉଠାଇଲ, ବିଧୁ,

ଦୂର ଅନ୍ତରୀକ୍ଷ ତାରା;

ମରଣେ ଢାଳିଲ ପ୍ରୀତି ପରିଦାନେ

ଅମର ପୀୟୂଷଧାରା ?

ବିଜନେ ଥିଲି ମୁଁ ବିପିନ ନିବାସୀ,

କଲ ବିଜନତା ଦୂର;

ସହସ୍ର ଯୋଜନେ ରହି, କଲ ଏଥି

ହ୍ରଦକଇଁ-ହୃଦ ଜୂର ।

ମରତେ ଜନମ, ମରତେ ବାସ ମୋ,

ମୋ ସ୍ୱର୍ଗ ମରତ ଶିରୀ;

ଜୀବନ ମରତ       ସୁଖେ ସିନା ପାରେ

ଏ ମରତ ଦେହୀ ଢାଳି ।

ସମୀର ପରଶେ ଖେଳିବ, ସଲିଳେ

ଦେଖିବ ବଦନ ଠାଣି,

ତୀର ଫୁଲ ତୁଲେ କୁହାକୁହି ହେବ

ହୃଦୟ ଗୁପତ ବାଣୀ ।

ଏହା ସିନା, ପ୍ରୀତି ପରଶମଣି ହେ,

ଲୋଡ଼ଇ କଇଁଟି ପ୍ରାଣେ;

ନିମିଷକ ଦୂରେ ରହି କି ପାରିବ

ସୁର ସ୍ନେହ ସନମାନେ ?

ଏହି କଥାମାନ ପରାଣେ ଯେବେ ମୋ

ହେଲା ନାହିଁ ଲଭିବାର,

କି ସୁଖ, ପ୍ରିୟ ହେ, ନିମିଷେ ଜଗତେ

ବହି ଏ ଜୀବନଭାର ?

ପରାଚୀ ଗଗନ ଦିଶିଲାଣି ତୋରା,

ଅରୁଣ କନକ ଢାଳି;

ମୁଁ ଏବେ ତୁରିତେ ମୁଦିବି ନୟନ,

ଆତପେ ଏ ତନୁ ଜାଳି ।

ନାହିଁ, ନିଶାମଣି, ଉଠାଇବ ଆଉ

ଏ ଦୀର୍ଘ ଦିବସ ପାରେ;

ଦୂର ବ୍ୟୋମବାସି, ବ୍ୟୋମବାସେ ରହ,

ମୁଁ ବୁଡେଁ ସରସୀ-ନୀରେ ।

Image

 

ଏକାକୀ ଅଳି

 

ତରୁଲତା ଅଗଣିତ କାନନ ବିତାନେ,

ଶ୍ୟାମଳ ସମ୍ପଦେ ତନୁ ମଣ୍ଡି ସୁଯତନେ ।

ମୃଦୁଳ ପରଶେ ଯେବେ ବହଇ ସମୀର,

ଶ୍ୟାମ ଅଙ୍ଗେ ଖେଳିଯାଏ ତରଙ୍ଗ ରୁଚିର ।

ସେ ଖେଳେ ଏକାଟି ଧୀରେ ଯାଉଥାଏ ଭାସି ,

ସରସେ ଅଳିଟି କାହିଁ ନ ପଡ଼ଇ ବସି ।

ପତ୍ର ସନସନେ ମିଶି, ପିକ କଳତାନେ,

ଅଳିର ଗୁଞ୍ଜନ ଯାଏ ନିଭି ଉପବନେ ।

କେତେ କାଳେ ପତ୍ର ଘନ ଗହଳିରୁ ଉଠି,

କିଶଳୟେ ବିକଶିଲା ଫୁଲଟିଏ ଫୁଟି ।

କାନନର ସକଳ ସେ ଶ୍ୟାମଳ ପରାଣେ

ଏକାକୀ ପାଟଳ ଶିରୀ ହସଇ ମଉନେ ।

ସମ୍ପାଦି ସମ୍ପଦ ତାର, କାନନ ଅନିଳ

ତା ତନୁ ପରଶ ପାଇଁ କରେ ଆଣି ଠୁଳ ।

ତଥିପରେ ଧୀରେ ଧୀରେ ମଧୁ ଖେଳେ ନାଚି,

ମଧୁଧାରା ଦେଉଥାଏ କାନନେ ବିରଚି ।

ମଳୟ ହିଲ୍ଲୋଳେ ଭାସି ନବ ସଉରଭ

ଉପବନେ ଢାଳେ କୋଟି କନକ ବିଭବ ।

ଡାଳୁ ଡାଳେ ଉଡ଼ି ବୁଲେ ଏକାକୀ ଅଳିଟି,

କାନନ ସମ୍ପଦେ ଦେଇ ନିଜ ଗୁଞ୍ଜ ଗୀତି ।

ସୁମନ ସୁରଭି ଧାରେ ଖେଳି ଖେଳି ଯାଏ,

କାହୁଁ ଯେ ଆସଇ ଭାସି ସଙ୍କୋଚେ ଅନାଏ ।

ଦୂରୁ ନିରେଖଇ ତାର ମୋହନ ମୂରତି,

କିଶଳୟେ କି ସୁଖେ ସେ ଦୋଳୁଛି ଫୁଲଟି ।

ବିଧାତା ବିଧାନ ଭବେ ଏଡ଼େ ହୀନିମାନ

ସୁନ୍ଦରେ ଦିଅଇ ଲୋଡ଼ି ନିମିଷ ଜୀବନ ।

ଦିବସଟି ପୂରି ଅବା ଶୋହିଛି କି ନାହିଁ,

ଫୁଲଟି ପଡ଼ିଲା ଡାଳୁ ଭୂମି-ଶେଯେ ଶୋଇ ।

ଜୀବନ ସୋହାଗ କ୍ରୀଡ଼ା ସରିଲା ନିମିଷେ,

ଧୂଳିତଳେ ଝଡ଼ି ଏବେ ପଡ଼ିଛି ବିରସେ ।

ଅଳିଟି ବରଜି ତହୁଁ ସୁଖେ ଉଡ଼ିବାର ,

ମଉନେ ବସିଲା ଆସି ଫୁଲ ସଙ୍ଗତର ।

ତା ମୋହନ ତନୁ ମୁଖେ ପରଶିବା ପାଇଁ

ଫୁଲମଧୁପାୟୀ ଅଳି ମନ ବଳେ ନାହିଁ ।

କ୍ଷଣୁ କ୍ଷଣେ ଫୁଲଟି ଯେ ଯାଉଛି ମଉଳି,

ମଉନେ ଅନାଇଁ ବସି କି ଭାଳଇ ଅଳି !

ସମୀରେ କାନନ ଗାଏ ଧୀର ସନସନ,

ଶ୍ୟାମଳେ ଅରୁଣ ଢାଳେ ସରଗ କାଞ୍ଚନ ।

କାହିଁରେ ନୟନ ନାହିଁ ଫେରେ ଅଳିଟିର,

ଭୂତଳେ ସେ ସେହିଭଳି ପଡ଼ିଛି ନିକର ।

କେତେ ଦିନେ ଉପବନେ ଫୁଲ ଅଗଣିତ

ଡାଳ ପତ୍ରେ ଫୁଟି ପୁଣି ଶୋହିଲେ ନିରତ ।

ସଉରଭେ ବନଦେଶ ଚହଟାଇ ସୁଖେ,

ଖେଳିଲା ଆବର ବନେ ଅନିଳ ପୁଲକେ ।

କେତେ ଅଳି ଫୁଲୁ ଫୁଲେ ଯାଉଥାନ୍ତି ବସି,

ଫୁଲୁ ଫୁଲୁ ନେଉଥାନ୍ତି ମଧୁବିନ୍ଦୁ ଶୋଷି ।

ସେ ଯେ ଅଳି ଏକାକୀଟି କାନନବିହାରୀ

ଏତେ ଅଳିମେଳେ ଆଜି ଖେଳୁ ନାହିଁ ବୁଲି ।

ସେ ଏକା ଫୁଲଟି ଯାଇ ଯେ ଦୂର ରାଇଜେ

ତା ତୁଲେ ଆଜି ସେ ଅଳି ସୋହାଗେ ବିରାଜେ ।

Image

 

ଜଳ ରେ ଅନଳ

 

କେତେ କେତେ ଶୋହା ଏ ଜୀବନେ ମୋର

ନିରେଖି ନାହିଁ ନୟନେ;

ବ୍ୟୋମ ବସୁନ୍ଧରା ଉଛୁଳି ଉଠଇ

ଅନନ୍ତ ବିଶ୍ୱ ବିତାନେ ।

ସିନ୍ଧୁ ସଇକତେ ବିହରି ହରଷେ,

ସୁଦୂର ଜଳଦ ତଳେ

ରବି ଉଇଁବାର ପାଟଳ ସୁଷମା

ଖେଳଇ ଗଗନେ ନୀରେ ।

ଚାରୁ ଊର୍ମିମାଳା, କନକ ପୁଲକେ

ନଚାଇ ଶିଖର ଶିରୀ,

ଚପଳ ମାଧୁରୀ ମୋହନ ବିଳାସେ

ଆସୁଥାଏ ଢଳି ଢଳି ।

ବରଷାର ଧାରା       ଆକାଶ ଅବନୀ

ସଲିଳେ ଭସାଇ ଦେଇ,

ନିଜ ସିକ୍ତ ଭାଲେ ନିମିଷକେ ପୁଣି

ଦିଏ କିବା ନିଧି ଫେଇ ।

ସେ ଅବା କି ଏକ ସୋପାନମାଳିକା

ମଣି ହୀରା ମାଣିକ୍ୟର,

ସରଗ ଦେବତା କନକ ସରଣୀ

ମରତେ ଓହ୍ଲାଇବାର ।

ଯେତେ ଯହିଁ ଦେଖେଁ ବନ ପରବତେ

ନିସର୍ଗ ନିମିଷ ଶୋହା,

ସେ ଗୋଟି ଗୋଟିକେ ଗଢ଼ି ହୋଇଅଛି

ଆଜି ତ ଏ ମୋର ହିଆ ।

ଜଳ, ରେ ଅନଳ, ଜଳି ଉଠେ ତେଜେ,

ଉଜଳୁ ଉଜଳ ହୋଇ;

ତୋ ହେମ ଆଲୋକେ ଏ ସରଗ ଛବି

ଦେଖିଥାଏଁ ବାରେ ମୁହିଁ ।

ଏ ଅନଳ ଶିଖା ଭୀମ ଗଉରବ

ବଦନ ସମ୍ପଦେ ବଳି,

କି ପୁଲକେ ଆହା ତହିଁ ମଧ୍ୟେ, ବାବୁ,

ଦେଉଛ ଜୀବନ ଢାଳି ।

ଦୂର ଚକ୍ରବାଳେ ଉଇଁ ଆସେ ରବି,

ମୋହନ ମୂରତି ଫେଇ,

ତୁମ ବିଲୋଚନେ ଯାଏ ମଧୁଧାରା

ତହୁଁ ଶତ ଗୁଣ ବହି ।

କିଏ କାହିଁ କେଉଁ ଦୂର ପରଦେଶୁଁ

ଆସିଛ, ହେ ଧନମାଳି ,

ବିଦେଶ ଭୂମେ କି ସେନେହ ପୀରତି

ପରାଣେ ଆସଇ ଝରି ?

ଜନମଭୂମି ଯେ ଜନମ ଦେଇଛି ,

ଜନନୀରୁ ବଳି ବଡ଼;

ତହିଁ ସିନା ବହେ ଦୟା ମାୟା ପ୍ରୀତି

ପ୍ରାଣ ପୂରି ଢଳ ଢଳ ।

ତୁମ ଜନ୍ମଭୂମି ଏ ବିଶ୍ୱ ବିତାନ

ଅନନ୍ତ ଅପାର ପୁରୀ;-

ଜଳନ୍ତ ସରାଗେ ଉଠେ ଏ ଅନଳ

ଶିଖାରେ ସେ ଭାବ ଖେଳି ।

ପରକୁ ଆପଣା କରିଅଛ, ବାବୁ,

ଆପଣାରେ କରି ପର;

ପରସେବା ବ୍ରତେ ଦେଇ ଏ ଜୀବନ

ପିଲାରୁ ହୁଏ ହେ ନର ।

ପରପାଇଁ ପ୍ରତି ଟିକି ହୃଦଟିରେ

କି ବିଶାଳ ସୁଧାଧାରା,

ବିନ୍ଦୁ ଦିନ୍ଦୁ ଯହୁଁ ଦେଇ ପ୍ଳାବୁଅଛି

ଏ ବିଶ୍ୱ ଭୁବନସାରା ।

ଥିର ହୁଅ ତୁ, ରେ ଦାରୁଣ ଅନଳ,

ନ ଉଠ ଏଭଳି ଜଳି;

ତୋ ପରଶ ଭୟେ ସେ ସୁଧାବଦନ

ପଡ଼ିବ ଅବା ଝାଉଁଳି !

ପ୍ରାଣଭରା ସୁଖେ ବିହରୁଥାଆନ୍ତି,

କୁଟୀର ଉଆସେ ରହି;

ଏ କଷଣ, ବାବୁ ,       କୋମଳ ପରାଣେ

କିଏ ପୁଣି ଥିଲା ଲିହି ?

ଗୋଟି ଗୋଟି ତୁମେ ବାପା ମାଆଙ୍କର

ଦୁର୍ଲ୍ଲଭ ସରଗ ଶିରୀ;

କୋଳୁଁ କି ପଲକେ ଓହ୍ଲାଇ ଦିଅନ୍ତେ

ଭୂଇଁରେ ଚାଲିବ ବୋଲି ?

ଭାଇ ଭଉଣୀଙ୍କ ସଙ୍ଗତେ, ବାବୁ ହେ,

ଖେଳୁଥାନ୍ତି ସନମାନେ;

କାନନ ସମୀରେ କୁସୁମ କଳିକା

ଢଳିବାର ଜଣେ ଜଣେ ।

କନକ ଚରଣେ ନାଚୁଥାନ୍ତି ସୁଖେ

ପିଅର ସେନେହ ଫୁଲେ;

ଏ ଦୁଃଖ କଷଣ ଅଙ୍ଗଶ୍ରମ, ବାବୁ,

କିଏ ଲେଖିଥିଲା ଭାଲେ ?

ନିଭିଯା, ଅନଳ, ନିଭ ରେ ତୁରିତେ,

ଜଳି ତୁ ଉଠୁ କିପାଇଁ ?

ଏ ବିଷମ ଛବି ନୟନ ଆଗେ ମୋ

ଆଉ କି ପାରିବି ଚାହିଁ ?

କି ଦିବ୍ୟ ଦରବେ ଗଢ଼ିଛ ଜୀବନ

ଆହା, ମୋ ହୃଦୟମଣି,

ମରତ ନର, କି ସରଗ ନନ୍ଦନ

ତିଳେ ମୁଁ ନ ପାରେ ଚିହ୍ନି ।

ପରସୁଖେ, ବାବୁ, ସୋଦର ସେନେହେ

କି ଅବା ଦେଖିଛ ଶିରୀ,

ଡହ ଡହ ଏ ଯେ ଜଳନ୍ତା ଅନଳେ

ଜୀବନ ଦେଉଛ ଢାଳି ।

ଆଜି ଯେବେ ଏଥୁ ବାହୁଡ଼ି ସକଳେ

ନିଜ ନିକୁଞ୍ଜକୁ ଯାଇ,

ଦିବସ କରମେ ଲାଗିବ ଉଷତେ

ଭେଟିବି ଦୋସର ତହିଁ ।

ସେତେବେଳେ କି ହେ ଲବ ମାତରକେ

ବଦନ ଉଜଳା ଶୋହା

ନୟନୁଁ ପାରିବି ବିସୋରି ଦେଇ ମୁଁ,

ଫୁଟି ଏଥି ଉଠେ ଯାହା ?

ଗୁରୁ ଆସନେ ମୁଁ କିଭଳି ଆବର

ବସି ସେ ବକୁଳ ବନେ;

କଠୋର ଶାସନା ଲୋଚନେ, ବାବୁ ହେ ,

ତିଆରି ପାରିବି ଦିନେ ?

ଏ ଯେ ସୁଧା ସରି ସେନେହ ପୀରତି

ରଖିଛି ହୃଦୟେ ଭରି

କଣିକାଏ ତହୁଁ ଦିଅନ୍ତି ଯେବେ, ଏ

ପରାଣ ଯାଆନ୍ତା ପୂରି ।

ତୁମଠାରୁ, ବାବୁ, ଲଭି ଏ ସମ୍ପଦ,

ଜୀବନ ଅମୂଲ୍ୟ ମଣି,

ସାର୍ଥକ କରନ୍ତି ଏ ମୋର ଜନମ,

ଧନୀରୁ ହୁଅନ୍ତି ଧନୀ ।

ଧନ ମାନେ ଶୋହି ତୁମ ମଧୁ ମେଳେ

ବିହରି ହରଷଭରେ,

ତୁମ ଭଳି ଜଣେ ଦୋସର, ବାବୁ ହେ,

ହୋଇ ମୁଁ ପାରନ୍ତି ହେଳେ ।

 

*

ସତ୍ୟବାଦୀରେ କୌଣସି ଘରପୋଡ଼ି ଳିଭାଇବାକୁ ସ୍କୁଲ ଚାତ୍ରମାନେ ଯାଇଥିଲେ । କବି ସେତେବେଳେ ସତ୍ୟବାଦୀରେ ଶିକ୍ଷକ ଥିଲେ ।

Image

 

ବେଗେ ଯାଉ ପାଇ

 

କି ବିଷମ ଅନ୍ଧକାରେ ଘୋଟିଅଛି ମହୀ;

ଆକାଶ ଆବନୀ କାହିଁ ବାରି ହେଉ ନାହିଁ ।

ଅସରା ଅସରା ହୋଇ ଆସୁଛି ବରଷି,

ନଈ ନାଳ ପୂରି ପାଣି ଯାଉଅଛି ଭାସି ।

ତହିଁ ପୁଣି ବହୁଅଛି ବାଆ ଅଣଞ୍ଚାଶ

ଥରିଯାଏ ହୃଦ, ଅଙ୍ଗ ହୁଅଇ ଅବଶ ।

ଘନ ଗରଜନେ କମ୍ପି ଉଠେ ଗୃହ ବନ,

କୁଳିଶ ପଡ଼ଇ କିବା ବିଦାରି ଗଗନ ।

ବେଳେ ବେଳେ ଜଳିଉଠେ ବିଜୁଳିର ଜ୍ୟୋତି,

ଫେଇ ଏ ନିଶୀଥ ଭୀମ ବିକଟ ମୂରତି ।

ଏ ଯେ କି ବିଷମ ନିଶି, ମରଣରୁ ବଳି

ଉପୁଜାଏ ମୋ ପରାଣେ ଆତଙ୍କ ଆହୁରି ।

ଏ ଅନ୍ତେ ନ ଥାନ୍ତା ଯେବେ ସୁଖ ଉଷା ପୁଣି,

କ୍ଷଣେ କି ପରାଣ ଧରିପାରନ୍ତା ପରାଣୀ !

କାଲି ଯେତେବେଳେ ଢାଳେ ପାଇଯିବ ରାତି,

ଚାରୁ ବେଶେ ଉଭା ହେବ କନକ ପାହାନ୍ତି;

ଉଠିବ କୋଳୁ ତା ଢଳି ବାଳିତ ତପନ,

ହେମ ପରିଧାନେ ମଣ୍ଡି ସରଗ ଭୁବନ;

ସୁନୀଳ ଗଗନ ବୁକେ ସୁଖେ ହସି ଖେଳି,

ଧୀରେ ବାହି ନେଉଥିବ ବିଶ୍ୱ ପ୍ରାଣତରୀ ।

ମୃଦୁ ପକ୍ଷେ ସମୀରଣ ଉଡ଼ି ଉଡ଼ି ଆସି,

ପତ୍ର ଫୁଲେ ଯାଉଥିବ ପୀରତି ପରଶି ।

କୁଆ କୋଇଲିଏ ଡାଳୁ ଗୁପତେ ଭସାଇ ,

ବନ ଖେଳେ ଦେବେ ନିଜ ସମ୍ପଦ ମିଶାଇ ।

ଏ ନିଧି ନ ଥାନ୍ତା ଯେବେ ଉଷା ଆଗମନେ,

କେ ସହିପାରନ୍ତା ରାତି ବାଆପାଣି ଦିନେ ?

ଏ ଟିକି ପରାଣେ କେତେ ବିତିଗଲା ରାତି;

ପାଦତଳେ ପଡ଼ିଅଛି ପଥ ଅକଳନ୍ତି ।

ଏ ଘନ ଅନ୍ଧାରେ କିଛି ନ ହୁଅଇ ବାରି;

ପାଷାଣହୃଦୟ ହେଳେ ଯାଉଛି ତରଳି ।

ପାଣି ପବନର ତିଳେ ନ ହୁଏ କଳନା,

ଚିର ସ୍ରୋତେ ବାଟ ଘାଟ ସକଳ ଅଜଣା ।

ଏ ଯେ କି ବିଷମ, ବଳି ସିଂହ ଗରଜନ,

କୁଳିଶ ଶବଦ ପ୍ରାଣେ ବାଜେ ନିତିଦିନ ।

ଏସବୁ ଭିତରେ ପୁଣି ବିଜୁଳି ତରାସ

ବେଳେ ବେଳେ ଆସି କ୍ଷଣେ ହୁଏ ପରକାଶ ।

ଯେ ଭୀମ ମୂରତି ଲୁଚି ରହନ୍ତା ଗୋପନେ,

ନିମିଷେ ନଚାଏ ଆଣି କାତର ନୟନେ ।

ଏ ବଡ଼ ବିଷମ ମୋର ବାଟ ଚାଲିବାର,

ଥୟ କରି ନୁହେଁ ପାଦ, ଚିତ୍ତ ଅସମ୍ଭାଳ ।

କେତେବେଳେ ଅନ୍ତେ ପୁଣି ପାଇବ ଏ ରାତି,

ନବ ବେଶେ ପ୍ରାଚୀ-ନଭେ ଶୋହିବ ପାହାନ୍ତି ?

ନବ ଦିନମଣି ଉଇଁ ବିହରି ଗଗନ,

ସୁବର୍ଣ୍ଣ କିରଣେ ଦେବ ପଖାଳି ପରାଣ ?

ରବିକରେ ଧୀର ବାଆ ସୁଲୁ ସୁଲୁ ବହି

କୋମଳ କଳିଟି ଦେବ ନିମିଷେ ନଚାଇ ?

ଶୁଆ ସାରୀ ମଧୁ ରାବେ ପୁରାଇ ଅନ୍ତର,

କୁଞ୍ଜୁ କୁଞ୍ଜେ ଡାଳୁ ଡାଳେ ଖେଳାଇବେ ସ୍ୱର ?

ସହିବାର ବଳ ମୋର ତିଳେ ଆଉ ନାହିଁ;

ଏ ବାଆପବନ ରାତି ବେଗେ ଯାଉ ପାଇ ।

Image